ନୂଆଦିଲ୍ଲୀ: ପାଖାପାଖି ଦୁଇ ଦଶନ୍ଧି ପରେ ଭାରତ ଓ ୟୁରୋପିଆନ ସଂଘ ମଧ୍ୟରେ ମଙ୍ଗଳବାର ଏକ ଐତିହାସିକ ମୁକ୍ତ ବାଣିଜ୍ୟନାମା (ଏଫଟିଏ) ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୟୁରୋପିଆନ କାଉନସିଲ ସଭାପତି ଆଣ୍ଟୋନିଓ କୋଷ୍ଟା ଏ ସଂକ୍ରାନ୍ତରେ ମିଳିତ ଭାବେ ଏକ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି। ୟୁରୋପିଆନ କମିଶନ ସଭାପତି ଉର୍ସୁଲା ଭନ ଡେର ଲେଏନ ଏହାକୁ ‘ସମସ୍ତ ବାଣିଜ୍ୟ ଚୁକ୍ତିର ଜନନୀ’ ବୋଲି ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ‘ଏକ୍ସ’ରେ ବିବୃତି ରଖି କହିଛନ୍ତି ଯେ, ଆଜି ଭାରତ ବିଶାଳ ମୁକ୍ତ ବାଣିଜ୍ୟ ଚୁକ୍ତି ସଂପନ୍ନ କରିଛି, ଯାହାକି ଅତୀତରେ କେବେ ସମ୍ଭବ ହୋଇ ନଥିଲା। ଚୁକ୍ତି ଫଳରେ ଭାରତ ୟୁରୋପିଆନ ୟୁନିୟନର ୨୭ଟି ଦେଶ ସହ ବାଣିଜ୍ୟ କାରବାର କରିପାରିବ। ୟୁରୋପୀୟ ଦେଶରେ ରହୁଥିବା ପ୍ରାୟ ୮ ଲକ୍ଷ ଲୋକ ଏହାଦ୍ୱାରା ଉପକୃତ ହେବେ ବୋଲି ମୋଦି କହିଛନ୍ତି। ଚୁକ୍ତି ଫଳରେ ବିଦେଶୀ ପାନୀୟ ଓ ସୌଖୀନ କାରସବୁ ଖୁବ୍ ଶସ୍ତା ହେବ। ବର୍ତ୍ତମାନ ବିଦେଶରୁ ଅଡ଼ି, ବିଏମଡବ୍ଲୁ ମର୍ସିଡିଜ୍, ଲାମ୍ବୋର୍ଗିନି ଭଳି ସୌଖୀନ କାର କିଣିଲେ ୭୦ ପ୍ରତିଶତରୁ ୧୧୦ ପ୍ରତିଶନ ଆମଦାଦୀ ଶୁଳ୍କ ଦେବାକୁ ପଡ଼ୁଥିଲା। କିନ୍ତୁ ଏହି ଚୁକ୍ତି ଫଳରେ ଗାଡ଼ି ଉପରେ ମାତ୍ର ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡ଼ିବ। ଫଳରେ ଗାଡ଼ିଗୁଡ଼ିକ ଖୁବ୍ ଶସ୍ତା ହୋଇଯିବ। ଉଦାହରଣ ସ୍ୱରୂପ ଗୋଟିଏ ଅଡ଼ି କ୍ୟୁ୭ କାରର ମୂଲ୍ୟ ୭୫ ଲକ୍ଷ ଥିବାବେଳେ ଏବେ ତାହା ୬୫ରୁ ୭୫ ଲକ୍ଷ ହୋଇଯିବ। ସେହିପରି ବିଏମଡବ୍ଲୁ ମୂଲ୍ୟ ୧.୧୦ କୋଟି ଥିବା ବେଳେ ତାହା ହ୍ରାସ ଘଟି ୭୫ରୁ ୮୦ ଲକ୍ଷ ରହିବ। ସେହିପରି ଗୋଟିଏ ଲାମ୍ବୋର୍ଗିନିର ମୂଲ୍ୟ ୪.୫୦ କୋଟି ଥିବା ବେଳେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏହାର ମୂଲ୍ୟରେ ହ୍ରାସ ଘଟାଇ ୩ କୋଟିରୁ ୩.୨୦କୋଟି ରଖିବ। କେବଳ ଅଟୋମୋବାଇଲ କ୍ଷେତ୍ର ନୁହେଁ, ଇସ୍ପାତ, ଜୀବନରକ୍ଷାକାରୀ ଔଷଧ ମଧ୍ୟ ଶସ୍ତାରେ ମିଳିବ। ଆଜିର ଏହି ଚୁକ୍ତିନାମା ଟାରିଫ୍କୁ ନେଇ ଟ୍ରମ୍ପଙ୍କ ଦାଦାଗିରି ପ୍ରତି ମୁହଁତୋଡ଼ ଜବାବ ବୋଲି ଆଲୋଚନା ହେଉଛି।
ଭାରତ-ୟୁରୋପିଆନ ସଂଘ ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ; ଶସ୍ତା ହେବ ସୌଖୀନ କାର, ବିଦେଶୀ ପାନୀୟ













Leave a Reply