ପୁରୀ: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଛି। ବଡ଼ସିଂହାର ବେଶରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଦେବୀ ସୁଭଦ୍ରାଙ୍କୁ ପଦ୍ମବେଶରେ ସଜ୍ଜିତ ହୋଇଛନ୍ତି। ପଦ୍ମଫୁଲ ଓ ଜରି ଜମ୍ବୁରାରେ ମହାପ୍ରଭୁଙ୍କୁ ପଦ୍ମବେଶରେ ସଜ୍ଜାଯାଇଛି। ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ଗୁରୁବାର ମଙ୍ଗଳ ଆଳତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ପରମ୍ପରା ଅନୁସାରେ ବଡ଼ଛତା ମଠ ମହାପ୍ରଭୁଙ୍କ ପାଇଁ ଏହି ପଦ୍ମବେଶ ସାଜ ଯୋଗାଇ ଆସୁଛନ୍ତି। ଏଥିପାଇଁ ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ବେଶ କାରିଗରମାନେ ବେଶ୍ ନିଷ୍ଠାର ସହ ପଦ୍ମବେଶ ନିର୍ମାଣ କରିଛନ୍ତି । ପଣ୍ଡୁ ପୂର୍ଣ୍ଣିମା ଠାରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ପ୍ରସ୍ତୁତ ଆରମ୍ଭ ହୋଇଥାଏ। ସୋଲ, ଜରି ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଛି। କରପଲ୍ଲବ, ହଂସ, ଡ଼ାଳି, ଶ୍ରୀମୁଖ ପଦ୍ମ, ସିଂହାସନ ସହ ଗଛ, ଶ୍ରୀହସ୍ତ ପଦ୍ମକଢ, ପଦ୍ମଫୁଲ ଓ ଚୂଳ ପ୍ରସ୍ତୁତ କରାଯାଇଛି।
ଭକ୍ତ ଆଣିଲେ ପଦ୍ମଭାର

ସେହିପରି କିଛି ବର୍ଷ ଧରି ଭୁବନେଶ୍ୱରର ଚିନ୍ତାମଣି ଦାଶ ମହାପ୍ରଭୁଙ୍କୁ ପଦ୍ମଫୁଲ ଯୋଗାଇ ଆସୁଛନ୍ତି। ବୁଧବାର ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ବେଙ୍ଗାଲୁରର କିଛି ଭକ୍ତ ମଧ୍ୟ ମହାପ୍ରଭୁଙ୍କୁ ପାଇଁ ପଦ୍ମଫୁଲ ଆଣିଛନ୍ତି। ଭୁବନେଶ୍ୱର ଶାସ୍ତ୍ରୀନଗରରୁ ଶ୍ରୀକ୍ଷେତ୍ରକୁ ଆସିଥିବା ଚିନ୍ତାମଣି ଦାଶ ଫୁଲ ଆଣି ଆସିବା ବାଟରେ ମା’ବାଟ ମଙ୍ଗଳାଙ୍କୁ ୫୪ଟି ପଦ୍ମରେ ପ୍ରସ୍ତୁତ ମାଳ ସମର୍ପଣ କରିଛନ୍ତି। ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ସେ ନିଜେ ଫୁଲ ବେତା ମୁଣ୍ଡରେ ନେଇ ଶ୍ରୀମନ୍ଦିରକୁ ଯାଇଛନ୍ତି। ତାଙ୍କ ସୂଚନା ମୁତାବକ, ଥରେ ଏକ ଖବରକାଗଜରୁ ସେ ଜାଣିବାକୁ ପାଇଲେ ଯେ ଶୀତ ଦିନରେ ପଦ୍ମଫୁଲ ଅଭାବରୁ ମହାପ୍ରଭୁଙ୍କୁ ସୋଲ ତିଆରି ପଦ୍ମ ଫୁଲରେ ବେଶ ହୋଇଥାନ୍ତି। ଏ ଖବର ତାଙ୍କୁ ବହୁମାତ୍ରାରେ ବ୍ୟଥିତ କରିଥିଲା। କିଭଳି ଗୋଟିଏ ଦିନ ମହାପ୍ରଭୁଙ୍କୁ ସତେଜ ପଦ୍ମ ଫୁଲରେ ବେଶ କରିପାରିବେ ସେଇ ଉଦ୍ଦେଶ୍ୟ ନେଇ ଆରମ୍ଭ କଲେ ଅଭିଯାନ। ଧଉଳି ନିକଟରେ ୫ଟି ପଦ୍ମ ପୋଖରୀ ଲିଜ ସୂତ୍ରରେ ନେଇଥିବା ବେଳେ ପ୍ରତିବର୍ଷ ୩ଟି ବଡ଼ ବେତାରେ ଫୁଲ ଧରି ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ଆସିଥାନ୍ତି। ପ୍ରତିବର୍ଷ ପଦ୍ମ ଫୁଲ ଯୋଗାଇବା ପାଇଁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆବେଦନ କରିଥାନ୍ତି। ମହାପ୍ରଭୁଙ୍କ ଅନୁଭବ ତାଙ୍କୁ ୨୦୧୧ ମସିହାରୁ ଶ୍ରୀମନ୍ଦିରକୁ ଫୁଲ ଆଣିବାକୁ ପ୍ରେରିତ କରିଛି। ସେ ୨୦୧୧ ମସିହାରେ ପ୍ରଥମେ ଶ୍ରୀଜୀଉଙ୍କ ପାଇଁ ୧୦୦୮ ପଦ୍ମଫୁଲ ପ୍ରଦାନ କରିଥିଲେ। ପରବର୍ତ୍ତି ଅବସ୍ଥାରେ ୩୦୦୮ ପଦ୍ମଫୁଲ ପ୍ରଦାନ କରିଥିଲେ। ଚଳିତ ବର୍ଷ ଶ୍ରୀଜୀଉଙ୍କ ପାଇଁ ୩ଟି ବେତାରେ ସମୁଦାୟ ୪୦୦୦ରୁ ଊର୍ଦ୍ଧ୍ୱ ପୁଷ୍ପ ଦେବା ସହ ମା ବିମଳାଙ୍କ ପାଇଁ ୧୦୮, ବାଟମଙ୍ଗଳାଙ୍କ ପାଇଁ ୫୪, ଭୁବନେଶ୍ୱରୀଙ୍କ ପାଇଁ ୧୦୮ ଓ ପଦ୍ମାଳୟା ମହାଲକ୍ଷ୍ମୀଙ୍କ ପାଇଁ ୧୦୮ ପଦ୍ମଫୁଲ ପ୍ରଦାନ କରିଛନ୍ତି ବୋଲି ଜଣାପଡ଼ିଛି। ଏତତ ବ୍ୟତୀତ ଅନ୍ୟ କେତେ ଜଣ ଭକ୍ତ ସୁଦୂର ବାଙ୍ଗାଲୁରୁରୁ ପଦ୍ମ ପୁଷ୍ପ ଆଣି ମହାପ୍ରଭୁଙ୍କୁ ଅର୍ପଣ କରିଛନ୍ତି ବୋଲି ସୂଚନା ମିଳିଛି।














Leave a Reply