ପୁରୀ: ଆଗାମୀ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା–୨୦୨୬ କୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ଭାବେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଛତିଶା ନିଯୋଗର ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆସନ୍ତା ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା। ବିଶେଷକରି ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ, ଦର୍ଶନ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ ଓ ସେବାୟତମାନଙ୍କ ସହ ସୁଚାରୁ ସମନ୍ୱୟ ନେଇ ଗଭୀର ଆଲୋଚନା ହୋଇଥିଲା। ଏହି ବୈଠକରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର ଉପସ୍ଥିତ ଥିଲେ। ସେ ରଥଯାତ୍ରା ସମୟରେ ସେବାୟତମାନଙ୍କ ଭୂମିକା, ପାରମ୍ପରିକ ନୀତିକାନ୍ତି ଓ ଭକ୍ତମାନଙ୍କ ଦର୍ଶନ ସୁବିଧା ବିଷୟରେ ନିଜ ମତାମତ ରଖିଥିଲେ। ସେ ପୁରୀ ପୋଲିସ ସହ ସମ୍ପୂର୍ଣ୍ଣ ସହଯୋଗ ଓ ସମନ୍ୱୟର ଆଶ୍ୱାସନ ଦେଇଥିଲେ।

ଏସପି ପ୍ରତୀକ ସିଂ କହିଥିଲେ ଯେ, ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ କରିଥାନ୍ତି। ସେମାନଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ନିଶ୍ଚିତ କରିବା ପୁରୀ ପୋଲିସର ପ୍ରାଥମିକତା। ସେ ଆହୁରି କହିଥିଲେ ଯେ, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବା ସହିତ ଭିଡ଼ ନିୟନ୍ତ୍ରଣ, ଆପତ୍କାଳୀନ ସେବା, ଟ୍ରାଫିକ ପରିଚାଳନା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ରଥଯାତ୍ରାକୁ ସଫଳ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କରିଥିଲେ।ଏହି ବୈଠକରେ ପୁରୀ ପୋଲିସର ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ମିଳିତ ଭାବେ ରଥଯାତ୍ରା ୨୦୨୬ କୁ ଶୃଙ୍ଖଳିତ, ସୁରକ୍ଷିତ ଓ ସଫଳ କରିବା ପାଇଁ ସମନ୍ୱିତ ପ୍ରୟାସ ଜାରି ରଖିବାକୁ ସଙ୍କଳ୍ପବଦ୍ଧ ହୋଇଥିଲେ। ପୁରୀ ପୋଲିସ ରଥଯାତ୍ରା–୨୦୨୬ ପାଇଁ ସମସ୍ତ ପ୍ରସ୍ତୁତିକୁ ସୁଚାରୁ ଭାବରେ ଆଗେଇ ନେଉଛି ଏବଂ ଏହି ବିଶ୍ୱ ପ୍ରସିଦ୍ଧ ପର୍ବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବରେ ସମ୍ପନ୍ନ କରିବାକୁ ପ୍ରତିବଦ୍ଧ।
