ପୁରୀ: ସ୍ନାନଯାତ୍ରା ପରେ ମହାପ୍ରଭୁ ଜଗନ୍ନାଥ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି ମହାପ୍ରଭୁ । ରତ୍ନ ସିଂହାସନରେ ଚାଲିଛି ପଟି ଦିଅଁଙ୍କ ପୂଜାର୍ଚ୍ଚନା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତମାନେ ଏବେ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଗହଳି ଲଗାଉଛନ୍ତି । ପ୍ରଥମ ଦିନରୁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଭକ୍ତମାନଙ୍କ ହରିବୋଲ ହୁଳୁହୁଳି ଧ୍ୱନିରେ କମ୍ପିଉଠୁଛି ଅଲାରନାଥ ମନ୍ଦିର ପରିସର ।ଶ୍ରୀକ୍ଷେତ୍ରପରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଅଲାରନାଥଙ୍କ ନିକଟରେ । ଆଜି ଦ୍ୱାରଫିଟା ନୀତି ପରେ ଶ୍ରୀଅଲାନାଥଙ୍କ ଅଣସର ଦର୍ଶନ ପାଇଁ ବ୍ୟାରିକେଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଶ୍ରୀଜିଉଙ୍କ ସକାଳ ନୀତି ମଙ୍ଗଳ ଆଳତି, ଅବକାଶ, ବେଶ, ଗୋପାଳବଲ୍ଲଭ ଉଠି ସକାଳ ୭ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଅଲାରନାଥ ସେବାୟତ ନିଯୋଗ ପକ୍ଷରୁ ନୀତିକାନ୍ତି ଶୃଙ୍ଖଳିତ କରିବା ସହ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ୨୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
