ଖପ୍ରାଖୋଲ: ବିବାହ କରିବାର ପ୍ରତିଶୃତି ଦେଇ ଜଣେ ନିରୀହ ଆଦିବାସୀ ଯୁବତୀଙ୍କ ସହ ଦୁଇ ମାସ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଶେଷରେ ବିବାହ କରିବାକୁ ମନା କରିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ବିଶ୍ୱାସ, ପ୍ରେମ ଓ ଭବିଷ୍ୟତର ସ୍ୱପ୍ନ ନେଇ ସାଥୀଙ୍କ ହାତ ଧରିଥିବା ଯୁବତୀ ଶେଷରେ ନ୍ୟାୟ ପାଇଁ ଖପ୍ରାଖୋଲ ଥାନାର ଦ୍ୱାରସ୍ଥ ହେବା ପରେ ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାୟୀ, ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତର କେନ୍ଦୁଭଟା ଗ୍ରାମର ଜୈନିକ ଯୁବତୀ ଓ ସେହି ଗ୍ରାମର ନବୀନ ପୋଢ଼ଙ୍କ ପୁଅ ସୁମନ୍ତ ପୋଢ଼ ପ୍ରାୟ ପାଞ୍ଚ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ। ଗତ ମାର୍ଚ୍ଚ ୨୪ ତାରିଖରେ ଗ୍ରାମ ସମାଜର ଉପସ୍ଥିତିରେ ସୁମନ୍ତ, ଯୁବତୀଙ୍କୁ ବିବାହ କରିବି କହି ସ୍ତ୍ରୀର ମର୍ଯ୍ୟାଦା ଦେବେ ବୋଲି ପ୍ରତିଶୃତି ଦେଇ ନିଜ ଘରକୁ ନେଇଥିଲେ। ତିନି ଦିନ ପରେ ଉଭୟ ତାମିଲନାଡୁ ରାଜ୍ୟର ତିରିପୁର ସ୍ଥିତ ଏକ କମ୍ପାନୀରେ କାମ କରିବାକୁ ଯାଇ ସେଠାରେ ପ୍ରାୟ ଦୁଇ ମାସ ଏକାଠି ରହିଥିଲେ। ତେବେ ଗାଁକୁ ଫେରିବା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବା ଅଭିଯୋଗ ହୋଇଛି। ସୁମନ୍ତ ଯୁବତୀଙ୍କୁ ତାଙ୍କ ଘରେ ଛାଡ଼ି ଦେଇ ଆଉ ରଖିବେ ନାହିଁ ବୋଲି କହି ଫେରାର ହୋଇଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଭାଙ୍ଗିପଡ଼ିଥିବା ଯୁବତୀ ଶେଷରେ ନ୍ୟାୟ ପାଇଁ ଖପ୍ରାଖୋଲ ଥାନାର ଆଶ୍ରୟ ନେଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଖପ୍ରାଖୋଲ ପୋଲିସ ଥାନା କେସ୍ ନଂ–୧୩୭/୨୦୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତ ସୁମନ୍ତ ପୋଢ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ଏହି ଘଟଣା ପୁଣିଥରେ ବିବାହର ପ୍ରତିଶୃତିକୁ ନେଇ ହେଉଥିବା କଥିତ ପ୍ରତାରଣା ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି।
