ପୁରୀ: ପୁରୀ ମହାନଗର ନିଗମ, ହିନ୍ଦୁସ୍ତାନ କୋକାକୋଲା, କୋକାକୋଲା ଇଣ୍ଡିଆ, ଓଡିଶା ଡେଭେଲପମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ୍ (ଓଡିଏମପି ) , ଏସପିସି.ବି ଓ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଆନୁକୁଲ୍ୟରେ ଚଳିତବର୍ଷ ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରା ଉପଲକ୍ଷେ ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ଶରଧାବାଲିର ଅନତି ଦୁରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ମହାନଗର ନିଗମର ଡେପୁଟି କମିଶନର ଜୁବୁଲି ଚରଣ ବେହେରା, ଭଞ୍ଜନଗର ପୌରସଂସ୍ଥା ର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ହିନ୍ଦୁସ୍ଥାନ କୋକାକୋଲା ର ତୁଷାର ରଞ୍ଜନ ପଟ୍ଟନାୟକ, ପ୍ରବିଣ ଚୌଧୁରୀ, କୋକାକୋଲା ଇଣ୍ଡିଆର ଆଦିତ୍ୟ ପଣ୍ଡା, ପୁରୀ ମହାନଗର ନିଗମର ପରିମଳ ବିଶେଷଜ୍ଞ, ଓଡିଶାର ବିଭିନ୍ନ ପୌରସଂସ୍ଥାର ଅଧିକାରୀ ମାନେ ଅତିଥି ଭାବରେ ଯୋଗଦେଇ ରଥଯାତ୍ରା ସମୟରେ ପୁରୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସହାୟକ ହେବ ବୋଲି ମତ ଦେଇଥିଲେ।

ଏହା ପରେ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ସଚେତନତା ପାଇଁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯିବା ସହିତ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱ ଓ ବସ ଷ୍ଟାଣ୍ଡ ରେ ସଫେଇ କାର୍ଯ୍ୟକ୍ରମ ଜରିଆରେ ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା। କମିସନର ପୁରୀ ମହାନଗର ନିଗମଙ୍କ ନିର୍ଦ୍ଦେଶକ୍ରମେ ଓଡିଏମ୍ ପି ଦ୍ୱାରା ସକାଳ ୧୦ ରୁ ସନ୍ଧ୍ୟା ୮ପର୍ୟ୍ୟନ୍ତ ୨୮ଜଣ ସଫେଇ ସାଥୀ ଙ୍କୁ ଶ୍ରୀମନ୍ଦିର ଠାରୁ ମାର୍କେଟ ସ୍କୋୟାର ପର୍ଯ୍ୟନ୍ତ ରାସ୍ତାରେ ପଡିଥିବା ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ ପାଇଁ ନିୟୋଜିତ କରାଯାଇ ୧୬୧୯ କେଜି ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରାଯାଇଥିଲା।
