ଶିକ୍ଷାନୁଷ୍ଠାନରେ ଶୁଭିଲା ‘ବନ୍ଦେ ମାତରମ୍‌’ ସାମୁହିକ ଗାନ

Spread the love

ଭୁବନେଶ୍ୱର(ବ୍ୟୁରୋ): ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଶୁଭିଲା ‘ବନ୍ଦେ ମାତରମ୍‌’ ସାମୁହିକ ଗାନ। ରାଜ୍ୟର ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍‌’ ସାମୁହିକ ଗାନ କଲେ ଛାତ୍ରଛାତ୍ରୀ ଏବଂ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ। ‘ବନ୍ଦେ ମାତରମ୍‌’ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ, ଲୋକସେବା ଭବନରେ ରାଜ୍ୟସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍‌’ର ୧୫୦ ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଗତବର୍ଷ ନଭେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଲୋକସେବା ଭବନସ୍ଥିତ ପ୍ରାଙ୍ଗଣରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦ୍‌ଘାଟନ ଓ ରାଷ୍ଟ୍ର ଗୀତର ସାମୂହିକ ଗାନରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଗୀତର ଲୋକପ୍ରିୟତା ଓ ପ୍ରଭାବକୁ ଦେଖି ବ୍ରିଟିସ ସରକାର ବନ୍ଦେ ମାତରମ୍‌କୁ ନିଷିଦ୍ଧ କରିଥିଲେ, ଯାହା ଏହି ଗୀତର ଶକ୍ତିର ସ୍ପଷ୍ଟ ପ୍ରମାଣ। ଦେଶପ୍ରେମ ବିନା ଦେଶର ଉନ୍ନତି ଅସମ୍ଭବ। ବନ୍ଦେ ମାତରମ୍ ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏହି ବର୍ଷବ୍ୟାପୀ ପାଳନ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ବନ୍ଦେ ମାତରମ୍‌କୁ ସାମୂହିକ ଭାବେ ଗାନ୍ କରିବାର ପ୍ରଭାବ ଖୁବ୍ ସୁଦୂରପ୍ରସାରୀ। ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଜ୍ଞା ଦେବାରେ ସଫଳ ହେବ। ଆଗାମୀ ୧ବର୍ଷ ଧରି ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନଙ୍କ ମାଧ୍ୟମରେ ସାମୂହିକ ଗାନ, ସାଂସ୍କୃତିକ ଆୟୋଜନ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଛି। ଆଜିଠୁ ଏହାର ଶୁଭାରମ୍ଭ ହୋଇଛି। ବର୍ଷବ୍ୟାପୀ ଯାହା ଯାହା କାର୍ଯ୍ୟକ୍ରମ ହେବ ସେଥିରେ ସମସ୍ତେ ସାମିଲ ହୁଅନ୍ତୁ। ଭାରତ ମାତାର ଗୌରବକୁ ସାରା ପୃଥିବୀରେ ପରିବ୍ୟାପ୍ତ କରିବା ପାଇଁ ସଂକଳ୍ପ ବଦ୍ଧ ହେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!