ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୋଲିସ ବେଆଇନ ନିଶାଦ୍ରବ୍ୟ ଓ କଫ ସିରପ କାରବାର ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ପ୍ରାୟ ୧ ବର୍ଷ ୫ ମାସ ପରେ ପୋଲିସର ଏହି ଚଢ଼ାଉରେ ୫୨ ବୋତଲ ବେଆଇନ ଏସ୍-କଫ ସିରପ ଜବତ କରାଯିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ନିଶା କାରବାର ବିରୋଧରେ ଖପ୍ରାଖୋଲ ପୋଲିସର ଏହି ଦୃଢ଼ ପଦକ୍ଷେପକୁ ସାଧାରଣ ଲୋକେ ସ୍ୱାଗତ କରିଥିବା ବେଳେ ପୋଲିସ ପ୍ରଶାସନର ତତ୍ପରତା ପ୍ରଶଂସାର ପାତ୍ର ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ଏଏସଆଇ ରବୀନ୍ଦ୍ର କୁମ୍ଭାର ଓ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ଯେ, ଖପ୍ରାଖୋଲ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗରି ଟାଙ୍ଗର ନିକଟରେ କିଛି ବ୍ୟକ୍ତି ବେଆଇନ ଭାବେ କଫ ସିରପ ବିକ୍ରି କରୁଛନ୍ତି। ଏହି ସୂଚନାକୁ ଗୁରୁତ୍ୱର ସହ ଗ୍ରହଣ କରି ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ତୁରନ୍ତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ୫୨ ବୋତଲ ବେଆଇନ ଏସ୍-କଫ ସିରପ ଜବତ କରିବା ସହ ଘଟଣାସ୍ଥଳରୁ ଫକୀର ସେଠ୍ (୩୫), ଜ୍ୟୋତିର୍ମୟ ପଧାନ (୩୫) ଓ ସତ୍ୟ ସାହୁ (୧୯) ଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବେଲପଡା ଥାନା ସଦର ବେଲପଡା ଅଞ୍ଚଳର ବିଶ୍ୱାମିତ୍ର ପୁଟେଲ (୪୮) ବେଆଇନ କଫ ସିରପ ଯୋଗାଇ ଆସୁଥିବା ଜଣାପଡ଼ିଥିଲା। ଏହାପରେ ଖପ୍ରାଖୋଲ ପୋଲିସ ବେଲପଡାକୁ ଯାଇ ତାଙ୍କୁ ମଧ୍ୟ ଗିରଫ କରି ଥାନାକୁ ଆଣିଥିଲା। ଏହି ଘଟଣାରେ ଖପ୍ରାଖୋଲ ଥାନାରେ କେସ୍ ନଂ-୧୩୬/୨୦୨୬ ରୁଜୁ କରାଯାଇ ବିଏନଏସ୍?ର ଧାରା ୨୭୬, ୨୭୭, ୨୭୮ ଓ ୬୧(୨) ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ବେଆଇନ କାରବାର ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ନିଶା କାରବାର ବିରୋଧରେ ଖପ୍ରାଖୋଲ ପୋଲିସର ଏହି ଦୃଢ଼ ଓ ସମୟୋପଯୋଗୀ ପଦକ୍ଷେପ ଅଞ୍ଚଳବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଛି। ଅପରାଧ ନିୟନ୍ତ୍ରଣ ଓ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ଦିଗରେ ଖପ୍ରାଖୋଲ ପୋଲିସ ପ୍ରଶାସନର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ । ଆଗାମୀ ଦିନରେ ପୋଲିସର ଏହି ସଫଳ ଅଭିଯାନ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
