ତ୍ରି-ଦିବସୀୟ ତୃତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶ ଉଦ୍‌ଯାପିତ

Spread the love

ପୁରୀ (ବ୍ୟୁରୋ) : ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ୍ ତରଫରୁ ପୁରୀଠାରେ ଆୟୋଜିତ ତ୍ରି- ଦିବସୀୟ ତୃତୀୟ ଶ୍ରୀଜଗନ୍ନାଥ ବିଶ୍ୱ ଆଧ୍ୟାତ୍ମିକ ସମାବେଶର ଉଦଯାପନୀ ଦିନ ଗଜପତି ମହାରାଜାଙ୍କ ରେ ସମାପିତ ହୋଇଛି । ଶେଷଦିନର ପ୍ରଥମ ଅଧିବେଶନରେ ଚିନ୍ମୟ ମିଶନ, ପାଟିଆଲାର ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ଆଲୋଚନାର ବିଷୟ ବସ୍ତୁ ଥିଲା “ ବିଶ୍ୱରେ ଶ୍ରୀ ଜଗନ୍ନାଥ ଚେତନାର ଜାଗରଣ” । ଏଥିରେ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ, ସ୍ୱାମୀ ଆତ୍ମପ୍ରଭାନନ୍ଦ ଜୀ ଓ ବାବା ସତ୍ୟାନନ୍ଦ ଦାସ ମହାରାଜ ବିଷୟ ଉପରେ ମତରଖି କହିଥିଲେ ଯେ ଶ୍ରୀ ଜଗନ୍ନାଥ ଚେତନାର ଜାଗରଣ ନିଜ ଘରୁ ଆରମ୍ଭ ହୋଇ ବିଶ୍ୱବ୍ୟାପୀ ହେଉ । ବିଶେଷତଃ ଯୁବଶକ୍ତିକୁ ସଂଗଠିତ କରି ଏହି ଯାତ୍ରାରେ ସମ୍ମିଳିତ କରାଯାଉ । ମହିଳାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉ । ଏହି ଅଧିବେଶନରେ ଅଷ୍ଟ୍ରେଲିଆରୁ ଆସିଥିବା ଡ. ନଳିନୀ ପତି ଏବଂ ଆୟରଲ୍ୟାଣ୍ଡରୁ ଆସିଥିବା ଶ୍ରୀମତୀ ମଧୁସ୍ମିତା ବାରିକ ନିଜ ଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କିପରି ପାଳିତ ହେଉଛି ସେ ବିଷୟରେ କହିଥିଲେ । ଅଦିନିଆ ରଥଯାତ୍ରାକୁ ଏଥିରେ ଦୃଢ ଭାବରେ ନିନ୍ଦା କରାଯାଇଥିଲା। ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ଶ୍ରୀଜଗନ୍ନାଥଙ୍କୁ ନିର୍ଗୁଣ ନିରାକାର, ନିର୍ଗୁଣ ସାକାର ଓ ସଗୁଣ ସାକାର ରୂପେ କିପରି ଅନୁଭବ କରିହେବ ସେ ବିଷୟରେ ବୁଝାଇଥିଲେ ।ଦ୍ୱିତୀୟ ଅଧିବେଶନରେ ଜଗନ୍ନାଥ ଧାମ ନାମକରଣ ପ୍ରସଙ୍ଗରେ ଡ. ମହନ୍ତ ରାମଚନ୍ଦ୍ର ଦାସ ମହାରାଜ ଯୋଗଦେଇ କହିଥିଲେ ଯେ ସ୍ୱୟଂ ଜଗନ୍ନାଥ ହିଁ ପୁରୁଷୋତ୍ତମ କ୍ଷେତ୍ରର ନାମକରଣ କରିଛନ୍ତି, ଯାହା ଜଗନ୍ନାଥ ଧାମ, ପୁରୀ ନାମରେ ନାମିତ । ଏହି ସ୍ଥାନ ହେଉଛି ଜଗନ୍ନାଥଙ୍କର ନିବାସସ୍ଥଳ ଏବଂ ମୁକ୍ତିର ଧାମ । ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରି କହିଥିଲେ ଜଗନ୍ନାଥ ଧାମ, ରଥଯାତ୍ରା ଆଦି ବିଶେଷ ଉତ୍ସବ ବିଷୟରେ ସ୍କନ୍ଦ ପୁରାଣରେ ବିଶଦ ଭାବରେ ଲିଖିତ । ଶାସ୍ତ୍ର ଅଧ୍ୟୟନ ଦ୍ୱାରା ଆମେ ତତ୍ତ୍ୱକୁ ଜାଣିପାରିବା ଓ ନିଜର ଯୁକ୍ତିକୁ ବଳିଷ୍ଠ କରିପାରିବା । ଏହି ଅଧିବେଶନରେ ଆମେରିକାରୁ ଆସିଥୁବା ଡ. ପଠନନ ଶତପଥୀ ଓ ଦୁବାଇରୁ ଆସିଥିବା ଶ୍ରୀ ହିମାଂଶୁ ଶେଖର ମହାପାତ୍ର ବିଦେଶରେ ଜଗନ୍ନାଥ ଚେତନାର କିପରି ଉତ୍ତରଣ ହୋଇଛି ସେ ବିଷୟରେ ଆଲୋକପାତ କରିଥିଲେ ।ନିଜର ବଚନରେ ପୂଜ୍ୟ ଗଜପତି ମହାରାଜା କହିଥିଲେ ଯେ ପୁରୀ ହେଉଛି ଶ୍ରୀଜଗନ୍ନାଥଙ୍କର ମୂଳପୀଠ । ତେଣୁ ମୂଳପୀଠରେ ଯାହା ହେଉଛି ତାହା ସର୍ବତ୍ର କରଣୀୟ । ରଥଯାତ୍ରା ପରି ବିଶେଷ ପର୍ବମାନଙ୍କରେ ଏହାର ବ୍ୟତିକ୍ରମ ହେବା ଆଦୌ ଉଚିତ ନୁହେଁ । କାରଣ ଏହା ମହାପ୍ରଭୁଙ୍କ ଇଚ୍ଛା ଏବଂ ତିଥି ଅନୁସାରେ ହେବା ଉଚିତ । ଅଦିନରେ ରଥଯାତ୍ରା କରିବା ଶାସ୍ତ୍ର ବିରୁଦ୍ଧ ବୋଲି ପ୍ରମାଣିତ କରି ଏକ ୯୭ ପୃଷ୍ଠାର ଦସ୍ତାବିଜ ପ୍ରସ୍ତୁତ କରାଯାଇଛି ଯାହାକୁ ସମସ୍ତେ ପଢିବା ଉଚିତ । ତାହା ହେଲେ ଶ୍ରୀଜଗନ୍ନାଥଙ୍କ ଚେତନାର ଜାଗରଣ ହେବ । ପ୍ରତ୍ୟେକ ଧର୍ମରେ ମୂଳପୀଠର ସ୍ୱତନ୍ତ୍ର ସ୍ଥାନ ରହିଛି । ଏଣୁ ଶ୍ରୀ ଜଗନ୍ନାଥଙ୍କ ଧାମ ଅପରିବର୍ତ୍ତନୀୟ । ପରିଶେଷରେ ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଶ୍ୱାଳ, ମୁଖ୍ୟ ଆୟୋଜକ ଡ ଭଗବାନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇ ସମାବେଶର ସମାପନ କରିଥିଲେ । ଏହା ସହିତ ଟ୍ରଷ୍ଟି ଡ ହର ପ୍ରସନ୍ନ ଦାସ, ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଶ୍ରୀ ସୁକାନ୍ତ କୁମାର ସାହୁ, ଶ୍ରୀ ମନୋଜ କୁମାର ପାତ୍ର ଓ ଶ୍ରୀମତୀ ସ୍ୱାତୀ ତ୍ରୀପାଠୀ ସମାବେଶର ସୁପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!