ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ଦାନର କଥିତ ଆତ୍ମସାତ୍ ଘଟଣାର ଏକ ନିରପେକ୍ଷ ଏବଂ ସମୟସୀମା ମଧ୍ୟରେ ତଦନ୍ତ ପାଇଁ ଏକ ଆବେଦନର ଜରୁରୀ ଶୁଣାଣିକୁ ସୋମବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ବିଚାରପତି ଏମ୍ ଏମ୍ ସୁନ୍ଦରେଶ ଏବଂ ଶୀଳ ନାଗୁଙ୍କ ଖଣ୍ଡପୀଠ କହିଛନ୍ତି ଯେ ଗ୍ରୀଷ୍ମ ଛୁଟି ପରେ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ। “ସ୍ୱର୍ଗ ଖସିବ ନାହିଁ… କ’ଣ ଜରୁରୀ,” ଖଣ୍ଡପୀଠ ମୌଖିକ ଭାବରେ ପର୍ଯ୍ୟବେକ୍ଷଣ କରିଛନ୍ତି। ଓକିଲ ଅଜୟ କୁମାର ରାୟ ଏବଂ ଦିନେଶ କୁମାର ଯାଦବଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ଏକ ସିବିଆଇ ନେତୃତ୍ୱାଧୀନ ବହୁ-ଶାଖାଗତ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ବ୍ୟାପାର ଏବଂ ପ୍ରଶାସନ ସମ୍ବନ୍ଧୀୟ କଥିତ ଆର୍ôଥକ ଅନିୟମିତତା ଏବଂ ଅନ୍ୟାନ୍ୟ କଥିତ ବେଆଇନ କାର୍ଯ୍ୟର ତଦନ୍ତ କରିବା ଉଚିତ। ଏହି ମାମଲାରେ ଏଫଆଇଆର ପାଇଁ ଦାବି କରାଯାଇଥିବା ଆବେଦନରେ କେନ୍ଦ୍ର, ଉତ୍ତର ପ୍ରଦେଶ ସରକାର ଏବଂ ମନ୍ଦିର ଟ୍ରଷ୍ଟକୁ ଜନସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ଲକ୍ଷ ଲକ୍ଷ ଭକ୍ତ ଏବଂ ଦାତାଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ଆବଶ୍ୟକୀୟ ନିୟାମକ, ତଦାରଖ ଏବଂ ଅଡିଟ୍ ବ୍ୟବସ୍ଥା ଗଠନ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରାଯାଇଥିଲା। ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି କୌଣସି ଏଫଆଇଆର କିମ୍ବା କୌଣସି ନିୟମିତ ଅପରାଧିକ ମାମଲା ପଞ୍ଜିକରଣ ନକରି ଏହି ମାମଲାର ତଦନ୍ତ ଆରମ୍ଭ କରିଛି ବୋଲି ଅଭିଯୋଗ କରାଯାଇଛି।
