ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ସଂପନ୍ନ

Spread the love

ପୁରୀ(ବ୍ୟୁରୋ): ପୌଷ ପୂର୍ଣ୍ଣିମାରେ ସୋମବାର ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀନଅରରେ ଶାସ୍ତ୍ରୀୟ ପୂଜା ଓ ପଞ୍ଚଦେବତା ପୂଜା ପରେ ଗଜପତି ମହାରାଜାଙ୍କୁ ଅଭିଷେକ କରାଯାଇଛି। ଷୋଳଶାସନ ବ୍ରାହ୍ମଣ ମହାରାଜଙ୍କୁ ନଡ଼ିଆ ଓ ପଇତା ପ୍ରଦାନ କରିବା ସହ ମହାରାଜାଙ୍କୁ ଆଶୀର୍ବାଦ କରିଛନ୍ତି। ଏହାପରେ ଗଜପତି ମହାରାଜାଙ୍କ ପ୍ରତିନିଧି ନୂତନ ମୁଦିରସ୍ତଙ୍କ ଶାଢ଼ିବନ୍ଧା ନୀତି ସମ୍ପନ୍ନ ହୋଇଥିଲା। ପ୍ରଥା ଅନୁଯାୟୀ ମହାରାଜାଙ୍କ ପ୍ରତିନିଧି ଭାବେ ଜଣେ ନାବାଳକ ସେବାୟତ ମହାପ୍ରଭୁଙ୍କ ସେବା କରିଥାନ୍ତି। ହିକ୍ରମରେ ଜଣେ ନାବାଳକ ସେବକଙ୍କୁ ମୁଦିରସ୍ତ ଭାବେ ଶାଢ଼ି ବନ୍ଧାଯାଇଛି। ଶାଢ଼ି ବାନ୍ଧିବା ପରେ ସମ୍ପୃକ୍ତ ମୁଦିରସ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଜରାଜେଶ୍ୱର ବେଶରେ ସୁସଜ୍ଜିତ ହୋଇଛନ୍ତି। ପୂର୍ବ ଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ୧୦୮ ଗରା ଘିଅ ମିଶ୍ରିତ ଜଳ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ଭିଷେକ କରାଯାଇଛି। ଏହାପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିଛନ୍ତି। ସେଠାରେ ମାଜଣା ଓ ବନକଲାଗି ଆଦି ନୀତି ସମ୍ପନ୍ନ ହେବା ପରେ ଶ୍ରୀଦେବୀଙ୍କୁ ବେଶ କରାଯାଇଛି। ପୁଷ୍ୟାଭିଷେକ ପରେ ଗଜପତି ମହାରାଜା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଏହି ତିଥିରେ ମହାପ୍ରଭୁଙ୍କର ସେବାରେ ମହାରାଜାଙ୍କ ପ୍ରତିନିଧି ଭାବେ ନୂଆ ମୁଦିରସ୍ତଙ୍କୁ ନିୟୋଜିତ କରାଯାଇଥାଏ। ଏକ ବର୍ଷ ପାଇଁ ଏହି ମୁଦିରସ୍ତ ସେବକ ମହାରାଜାଙ୍କ ପ୍ରତିନିଧି ଭାବେ ମହାପ୍ରଭୁଙ୍କର ସମସ୍ତ ସେବା କରିଥାନ୍ତି। ସୋମବାର ତାଙ୍କର ଶାଢି ବନ୍ଧା ହୋଇଛି। ସେ ମୋର ପ୍ରତିନିଧି ଭାବେ ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ ବୋଲି ମୋର ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ନୂତନ ଭାବେ ମୁଦିରସ୍ତ ଦାୟିତ୍ୱ ପାଇଥିବା ମୁଦିରସ୍ତ କହିଛନ୍ତି ଯେ, ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମହାପ୍ରଭୁଙ୍କ ସେବା କରିବା ମୋ ପାଇଁ ସୌଭାଗ୍ୟର କଥା। ନିୟମକୁ ନିଷ୍ଠାର ସହ ପାଳନ କରି ମୋର ପାରୁ ପର୍ଯ୍ୟନ୍ତ ସେବା କରିବି।

Leave a Reply

Your email address will not be published. Required fields are marked *

error: Content is protected !!