ପୁରୀ ହେଲା ମହାନଗର ନିଗମ

Spread the love

ଭୁବନେଶ୍ୱର(ବ୍ୟୁରୋ): ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହେଉଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ । ଏଠାରେ ପ୍ରତିଦିନ ଦେଶବିଦେଶର ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ପୁରୀ ବାସିନ୍ଦା, ଭକ୍ତ ଓ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ମାନର ସୁବିଧା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୩ତାରିଖରେ ପୁରୀକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏଥିପାଇଁ ପୁରୀବାସୀଙ୍କ ମଧ୍ୟ ବହୁ ଦିନର ଦାବୀ ରହି ଆସିଥିଲା । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦ୍ୱାରା ପୁରୀ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ଲହରୀ ଖେଳିଯାଇଛି । ମହାନଗର ଗଠନ ହେବା ଦ୍ୱାରା ପୁରୀ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଭିତ୍ତିଭୂମିର ବିକାଶ ସହ ଏକ ବୃହତ୍ ସହରାଞ୍ଚଳ ଗଠନ ହେବ । ପୁରୀ ସହ ୪ଟି ସହରକୁ ଘଇଉ ହେଲା ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏ ଗୁଡ଼ିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂଘା, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ମୟୁରଭଞ୍ଜ ଜିଲ୍ଲାର ଯଶୀପୁର ଓ ବାଲେଶ୍ୱର ଜିଲ୍ଲାର ବସ୍ତା । ଏହା ସହିତ ବ୍ରହ୍ମପୁର ମହାନଗର ନିଗମର କଳେବର ବୃଦ୍ଧି ସମ୍ପର୍କରେ ମଧ୍ୟ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ସ୍ୱାୟତ୍ତଶାସନ ଦିବସ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାପୂର୍ବରୁ ଚଳିତ ମାସ ୨୨ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ୧୪ଟି ଜିଲାରେ ୨୪ଟି ନୂଆ ଘଇଉ ଏବଂ ୩ଟି ଜିଲ୍ଲାରେ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ କରାଯାଇଛି। ନୂତନ ଘଇଉ ତାଲିକାରେ ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡ଼ି, ସାଲେପୁର, ବଡ଼ମ୍ବା, ନରସିଂହପୁର, ନର୍ଲା ଓ ବୋରିଗୁମ୍ମା ଭଳି ୨୪ଟି ଅଞ୍ଚଳ ସ୍ଥାନ ପାଇଥିବା ବେଳେ ବୈଦ୍ଧଗଡ଼, ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଓ କରଞ୍ଜିଆ ଏବେଠାରୁ ମ୍ୟୁନିସିପାଲିଟି ଭାବେ କାର୍ଯ୍ୟ କରିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସହରାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!