ପୁରୀ: ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ଅବକାଶ ଲେନ ସ୍ଥିତ ଭୁବନେଶ୍ୱରୀ ମନ୍ଦିର ପରିସରରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଲକ୍ଷ୍ମୀଧର ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ରାଜ୍ଯରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପା ଯାଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ଯ ପୁସ୍ତକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଧିକାରୀ ମାନଙ୍କର ଦାୟିତ୍ୱହୀନତା ଖାମଖିଆଲ ମନୋଭାବ ପାଇଁ ସଭ୍ଯ ମାନେ କ୍ଷୋଭ ପ୍ରକାଶ କରିଥିଲେ । ଓଡ଼ିଶାର ମୁଖ୍ଯମନ୍ତ୍ରୀ ତ୍ରୁଟିପୂର୍ଣ୍ଣ ପାଠ୍ଯ ପୁସ୍ତକ ଛପା ଯିବା ସମ୍ପର୍କରେ ତଦନ୍ତ କମିଟିର ରିପୋର୍ଟକୁ ଭିତ୍ତିକରି ଦାୟୀ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସଂଘର ସଦସ୍ଯ ମାନେ ସନ୍ତୋଷ ବ୍ଯକ୍ତ କରିଥିଲେ । ସେମାନଙ୍କ ପାଇଁ ନିଲମ୍ବନ ଯଥେଷ୍ଟ ନୁହେଁ ଓ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ଯାହାଫଳରେ ଭବିଷ୍ୟତରେ କୌଣସି ଅଧିକାରୀ ଏଭଳି ଦାୟିତ୍ୱହୀନ କାର୍ଯ୍ୟ କରିବାକୁ ସାହାସ କରିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି ।

ରାଜସ୍ୱ ବୋର୍ଡ ଓଡ଼ିଶା ଚିଠି ନମ୍ବର ୭୨୪ ତା ୯ ମାର୍ଚ୍ଚ ୨୦୨୬ରେ ଜାରି କରିଥିବା ସୋସାଇଟ ପଞ୍ଜିକରଣ ଓଡ଼ିଶା ସଂଶୋଧନ ଆଇନ ୨୦୨୧ ଅନୁଯାଇ ମେ ୨୦ ୨୦୨୧ ପରଠାରୁ ପଞ୍ଜିକୃତ ସୋସାଇଟ ଗୁଡିକ ପଞ୍ଜିକରଣ ପ୍ରମାଣ ପତ୍ର ପ୍ରଦାନ ଠାରୁ ୫ବର୍ଷ ପାଇଁ ବଳବତ୍ତର ରହିବ ଓ ସୋସାଇଟ ପଞ୍ଜିକରଣ ଆଇନ ୧୮୬୦ ଏବଂ ସୋସାଇଟ ପଞ୍ଜିକରଣ ସଂଶୋଧନ ଆଇନ ୨୦୨୧ ଅଧିନରେ ମେ ୨୦୨୧ କିମ୍ବା ପୂର୍ବରୁ ପଞ୍ଜିକୃତ ସୋସାଇଟ୍ ଗୁଡିକ ମଧ୍ଯ ୫ ବର୍ଷ ପାଇଁ ୨୦ମେ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରଖି ଉକ୍ତ ନିର୍ଦ୍ଦେଶନାମା ଜାରି ଦିନ ଠାରୁ ଆଇନତଃ କାର୍ଯ୍ୟ କରିବ । ଏହା ପୂର୍ବରୁ ପଞ୍ଜିକୃତ ହୋଇଥିବା ସୋସାଇଟ୍ ଗୁଡିକ ପ୍ରତି ଏହା ଲାଗୁ ହେବା ଆଇନ ସମ୍ମତ ନୁହେଁ ବୋଲି ଅଭିଯୋଗ କରି ଏହା ତୁରନ୍ତ ପ୍ରତ୍ୟାହାର କରିବାକୁ ସଂଗଠନର ସମ୍ପାଦକ ଶ୍ରୀ ବେହେରା ଦାବି କରିଛନ୍ତି । ବୈଠକରେ ପ୍ୟାରିମୋହନ ପଟ୍ଟନାୟକ, ବ୍ରହ୍ମାନନ୍ଦ ଦାସ,ବିଜୟ କୁମାର ପଣ୍ଡା,ନିରଞ୍ଜନ ପତି, ସୁରେନ୍ଦ୍ର କୁମାର ଦାସ, ରମେଶ ଚନ୍ଦ୍ର ପଣ୍ଡା,ଚନ୍ଦ୍ରଶେଖର ମିଶ୍ର, ଆଶାଲତା ପ୍ରଧାନ, ମିନତି ଓଝା, ସନ୍ତୋଷ କୁମାର ମହାନ୍ତି, ଶଙ୍କର୍ଷଣ ଦାସ, ମନୋଜ କୁମାର ସାମନ୍ତରାୟ, ରାମ ନାରାୟଣ ମିଶ୍ର, ଦୁର୍ଗାପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ରମେଶ ଚନ୍ଦ୍ର ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
