ପାରାଦୀପ: ରାଜନୈତିକ ଶତ୍ରୁତା, ଭାଇଗିରି ଓ ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ମେ ୩୦ ରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର ଉପରେ ବୋମା ମାଡ଼ କରାଯାଇଥିଲା । ତେବେ ସରକାର ଓ ଜିଲ୍ଲା ପୋଲିସର ଅପରାଧ ମୁକ୍ତ ଅଭିଯାନରେ ଫସି ଯାଇଛନ୍ତି ଦୁଇ ଅଭ୍ୟାସଗତ ଅପରାଧୀ ଓ ତଥାକଥିତ ଶ୍ରମିକ ନେତା ବାପି ସର୍କେଲ ଓ ତାଙ୍କ ସହଯୋଗୀ ବାପୁ ପରିଡା। ଦୀର୍ଘ ୨୫ ବର୍ଷ ଧରି ପାରାଦୀପରେ ଅପରାଧିକ ଷଢଯନ୍ତ୍ର ଜାଲ ବିଛାଇ ବିଭିନ୍ନ କମ୍ପାନୀ ଓ ବ୍ୟବସାୟୀ ଙ୍କୁ ଲୁଟ କରି ଅୟସ କରୁଥିବା ଏବଂ ଶ୍ରମିକ ସଂଘକୁ ଆଢୁଆଳ କରି ରାଜନୈତିକ ଅଭିଶନ୍ଧି ରଖି ପାରାଦୀପରେ ଲୋକମୁଖରେ ନିନ୍ଦିତ ହେବା ସହ ନିଜେ ଖୋଳିଥିବା ଗାତରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ସର୍କେଲ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ନିଜକୁ ନିର୍ଦ୍ଦୋଷ ଦେଖାଇବାର ଅପଚେଷ୍ଟା କରୁଥିଲେ ମଧ୍ୟ୍ୟ ପାରାଦୀପ ବାସୀଙ୍କ ପାଖରେ ତାର ଅସଲ ଚେହେରା ପଦାରେ ପଡିଯାଇଛି । ନିଜର ଦବଦବା ଓ ପତିଆରା କମୁଥିବାରୁ ଏବଂ କମ୍ପାନୀ ମାନଙ୍କ ଠାରୁ ଆଦାୟ କରୁଥିବା ଅର୍ଥ କମି ଯାଉଥିବାରୁ ପୁଣି ପାରାଦୀପରେ ନିଜର କଳା ସମ୍ରାଜ୍ୟ ବୃଦ୍ଧି ପାଇଁ ଏବଂ ସାଧାରଣରେ ଭୟ ସୃଷ୍ଟି କରିବା ପାଇଁ ବାପୁ ପରିଡା ଓ ତାର ସାଥି ମାନଙ୍କୁ ବ୍ୟବହାର କରି ପୌରାଧ୍ୟକ୍ଷ ଙ୍କ ଘରେ ବୋମା ମାଡ଼ କରାଯାଇଥିଲା । କିନ୍ତୁ ପୋଲିସ ପ୍ରଶାସନ ର ଦୃଢ଼ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ବାପି ଓ ବାପୁ ଙ୍କ ଯୋଡି କୁ ମହଙ୍ଗା ପଡିଛି । ମାନ୍ୟବର କୁଜଙ୍ଗ ଅତିରିକ୍ତ ଜିଲ୍ଲା ବିଚାରପତି ଙ୍କ କୋର୍ଟ ରେ ଗିରଫ ହୋଇଥିବା ବାପୁ ପରିଡା ଗୁଣ୍ଡା ବାହିନୀ ର ସଦସ୍ୟ ମାନଙ୍କ ବେଲ ନାକଚ ହୋଇଥିବାରୁ କୁଜଙ୍ଗ ସରକାରୀ ଓକିଲ ରଶ୍ମୀ ରଞ୍ଜନ ସାମନ୍ତରାୟ ଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି । ଅନ୍ୟପକ୍ଷରେ ତଦନ୍ତରେ ସହଯୋଗ କରୁନଥିବାରୁ ପାରାଦୀପ ଆଦର୍ଶ ଥାନା ପୋଲିସ ବାପୁ ଙ୍କ ହାଉସିଂ ବୋର୍ଡ କଲୋନୀ ସ୍ଥିତ ତାଙ୍କ ବାସଭବନରେ ନୋଟିସ ମାରିଛି। ସୂଚନାଥାଉକି ପୌରାଧ୍ୟକ୍ଷ ଙ୍କ ଘର ଉପରେ ବୋମା ମାଡ଼ ପରେ ବାପୁ ପରିଡା ଫେରାର ଅଛି । ଏ ବାବଦରେ ନିଜ ପ୍ରତିକ୍ରିୟାରେ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ମୋର ଆଇନ ଓ ପୋଲିସ ଉପରେ ଦୃଢ଼ ବିଶ୍ୱାସ ରହିଛି ବୋଲି କହିଛନ୍ତି ।
