ଭୁବନେଶ୍ୱର(ବ୍ୟୁରୋ) ଡିଜିଟାଲ କୃଷି ଯାତ୍ରାରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାର ଦେବେ ସହାୟତା। ଏଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ସଫଳତା ଓଡ଼ିଶାର କୃଷି ଯାତ୍ରା ପାଇଁ ହେବ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ପାଇଁ ୫୫.୪୮ କୋଟି ଟଙ୍କା ଏବଂ ଡିଜିଟାଲ ଫସଲ ସର୍ଭେର ସଫଳ କାର୍ଯ୍ୟାନ୍ୱୟନ ପାଇଁ ୧୦୦ କୋଟି ଟଙ୍କା ପ୍ରୋତ୍ସାହନ ପାଇଁ ଘୋଷଣା କରାଯାଇଛି। ଏହି ସ୍ୱୀକୃତି ଜାତୀୟ ମାନଦଣ୍ଡ ସହିତ ତଥ୍ୟ-ଚାଳିତ, କୃଷକ-କୈନ୍ଦ୍ରିକ ଡିଜିଟାଲ ସଂସ୍କାର ଗ୍ରହଣ କରି ରାଜ୍ୟର ଦୃଢ଼ ଅନୁପାଳନ ନୀତି, ସମୟୋଚିତ ସଫଳତା ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି। କୃଷକମାନଙ୍କର ଏକ ପ୍ରାମାଣିକ, ଯାଞ୍ଚ କରାଯାଇଥିବା ଡାଟାବେସ୍ ସୃଷ୍ଟି ନିମନ୍ତେ କୃଷକ ପଞ୍ଜିକରଣ କରାଯାଉଛି। ଏହା ଦ୍ୱାରା ପିଏମ୍- କିଷାନ୍, ସିଏମ୍ – କିସାନ, ଫସଲ ବୀମା, ଇତ୍ୟାଦି ଯୋଜନା ପାଇଁ ସଠିକ୍ ହିତାଧିକାରୀ ଚିହ୍ନଟ ସୁଗମ ହୋଇ ପାରିଛି। ଡିଜିଟାଲ ଫସଲ ସର୍ଭେ ଦ୍ୱାରା ରାଜ୍ୟକୁ ବାସ୍ତବବାଦୀ କ୍ଷେତ୍ର ଏବଂ ଉତ୍ପାଦନ ଆକଳନ, କ୍ରୟ ଯୋଜନା ଏବଂ ଚାଷୀମାନଙ୍କୁ ଅନ୍ୟାନ୍ୟ ଯୋଜନା ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ଭୂସନ୍ଦର୍ଭିତ ପ୍ଲଟ୍ ୱାଇଜ୍ ଫସଲ ବୁଣା ସୂଚନା ମିଳିଥାଏ। କୃଷକ ରେଜିଷ୍ଟ୍ରି ଓ ଡିଜିଟାଲ୍ କ୍ରପ୍ ସର୍ଭେ ମିଳିତ ଭାବରେ ଚାଷୀଙ୍କ ତଥ୍ୟାବଳୀ, ଜମିଜମା ଅବସ୍ଥିତି, ଫସଲ ବିବରଣୀ ଇତ୍ୟାଦି ପ୍ରଦାନ କରେ। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ରାଜ୍ୟ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। କୃଷିକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ସମୃଦ୍ଧ କରିବା ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ସ୍ୱୀକୃତି ସ୍ୱରୂପ ରାଜ୍ୟକୁ ଏହି ପ୍ରୋତ୍ସାହନ ମିଳିଛି। ଏହି ଦୃଷ୍ଟିଭଙ୍ଗୀକୁ ବଜାୟ ରଖି ଓଡ଼ିଶାର କୃଷି ଅର୍ଥନୀତିରେ ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱର ଏକ ନୂତନ ଅଧ୍ୟାୟ ଲେଖିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ ଜାରି ରଖିବାକୁ ହେବ ବୋଲି ଉଲ୍ଲେଖ କରି ଏହି ଐତିହାସିକ ସଫଳତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କୃଷି ବିଭାଗ, ଚାଷୀ, ବୈଷୟିକ ଟିମ୍ ଏବଂ ଓଡ଼ିଶାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇଛନ୍ତି।
