ସତ୍ୟବାଦୀ /ସୁଆଣ୍ଡୋ: ସାକ୍ଷୀଗୋପାଳ ହାନା ଟାଇକୋଣ୍ଡ ଏକାଡେମୀର ୯ଜଣ ଛାତ୍ରଛାତ୍ରୀ ଜାତୀୟ ଖେଳରେ ପ୍ରତିଯୋଗିତା କରିପାରିବାର ଯୋଗ୍ୟତା ହାସଲ କରିଛନ୍ତି । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ କ୍ୟୋରୁଗି ଓ ପୁମସେ ଟାଇକୋଣ୍ଡୋ ପ୍ରତିଯୋଗିତା–୨୦୨୬ରେ ସାକ୍ଷୀଗୋପାଳ ସ୍ଥିତ ହାନା ଟାଇକୋଣ୍ଡୋ ଅକାଦେମୀର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କୋଚ ଦୀପକ ପ୍ରଧାନଙ୍କ ନେତୃତ୍ୱରେ ଅକାଦେମୀର ୧୫ ଜଣ ଛାତ୍ରଛାତ୍ରୀ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ରେ ଓଡିଶା ରୁ ପ୍ରାୟ ୧୮ ଟି ଜିଲ୍ଲା ରୁ ୬ ଶହ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପୁମସେ ବିଭାଗର ସବ୍-ଜୁନିଅର (୮-୧୧ ବର୍ଷ) ଇଣ୍ଡିଭିଜୁଆଲ୍ ବର୍ଗରେ ରୁଦ୍ରାଦିତ୍ୟ ନାୟକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ସବ୍-ଜୁନିଅର(୮ – ୧୧ ବର୍ଷା) ଟିମ୍ ପୁମସେରେ ଆର୍ୟ, ଚିନ୍ମୟ ଓ ରୁଦ୍ରାଦିତ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। କ୍ୟାଡେଟ୍ ( ୧୨-୧୪ ବର୍ଷ) ଟିମ୍ ପୁମସେରେ ଆୟୁଷ୍ମାନ ମିଶ୍ର, ଆୟୁଷ ଗୌଡ଼ ଓ ପ୍ରାଞ୍ଜଳ ରଥ ସ୍ୱର୍ଣ୍ଣ ପଦକ ପାଇଥିଲେ। ଆୟୁଷ୍ମାନ ମିଶ୍ରଇଣ୍ଡିଭିଜୁଆଲ୍ ବର୍ଗରେ ରୌପ୍ୟ ପଦକ ଏବଂ ଆୟୁଷ୍ମାନ ଓ ଆରାଧ୍ୟଙ୍କ ଯୋଡ଼ି ପେୟାର ପୁମସେରେ ରୌପ୍ୟ ପଦକ ହାସଲ କରିଥିଲେ। ଜୁନିଅର ପୁମସେ ବିଭାଗରେ କମଲେଶ ମିଶ୍ର କାଂସ୍ୟ ପଦକ ଏବଂ କମଲେଶ ମିଶ୍ର ଓ ପ୍ରଜ୍ଞାଙ୍କ ଯୋଡ଼ି ପେୟାର ବିଭାଗରେ ରୌପ୍ୟ ପଦକ ଜିତିଥିଲେ । କ୍ୟୋରୁଗି (ଫାଇଟ୍) ବିଭାଗରେ କ୍ୟାଡେଟ୍ ବର୍ଗର ଆରାଧ୍ୟ ସତାକ୍ଷୀ ମିଶ୍ର ସ୍ୱର୍ଣ୍ଣ ପଦକ ଏବଂ ପ୍ରିୟଙ୍କା ମେକାପ କାଂସ୍ୟ ପଦକ ହାସଲ କରିଥିଲେ। ଜୁନିଅର ଅଣ୍ଡର-୫୫ କେଜି ବର୍ଗରେ ପ୍ରଜ୍ଞାଶ୍ରୀ ବିଶ୍ୱାଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଓଭର୬୫ କେଜି ବର୍ଗରେ ସ୍ମୃତିରେଖା ନାୟକ ସ୍ୱଣ୍ଣପଦକ ହାସଲ କରିଥିଲେ । ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳିମାନେ ଆସନ୍ତା ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ । ଏହି ସଫଳତା ପାଇଁ କୋଚ ଶ୍ରୀ ପ୍ରଧାନଙ୍କ ସମେତ ଏକାଡେମୀର ସମସ୍ତ ଅଭିଭାବକ ଓ ଓଡିଶା ଟାଇକୋଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ ପ୍ରମୁଖ ଶୁଭେଚ୍ଛୁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିଯୋଗିତାରେ ମ୍ୟାନେଜର ଭାବେ ରୋଜାଲିନ ଦାସ ଯୋଗଦେଇ ଦଳକୁ ସହଯୋଗ କରିଥିଲେ । ସାକ୍ଷୀଗୋପାଳ ହାନାଟାଇକୋଣ୍ଡ ଏକାଡେମୀର ଛାତ୍ରଛାତ୍ରୀ ମାନଙ୍କ ସଫଳତା ପାଇଁ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।
