ପୁରୀ: ଜୁଲାଇ ୧୬ ତାରିଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଏବେ ଚଳଚଞ୍ଚଳ । ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ ଆଗେଇ ଚାଲିଛି । ବୁଧବାର ରଥ ନିର୍ମାଣର ୫୮ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମଙ୍ଗଳବାର ସୁଦ୍ଧା ତିନି ରଥର ମୂଳ କାଇଞ୍ଚି ଚାରି ନାହାକା ଭିତର ପାର୍ଶ୍ୱ ଉଭୟ ପଟରେ ପଡ଼ିବା ସହ ତିନିରଥ ରେ ପଟା ପଡ଼ିବା ପାଇଁ ତାଗ ବାଡ଼ିଆ କାର୍ଯ୍ୟ ଏବଂ ବାକି ୧୨ ପରାସ୍ତ ପୋଟଳ ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା ।ସାମଗ୍ରିକ ଭାବେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି ତିନିରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ମିଳିତ ସହଯୋଗରେ ତିନିରଥର ପ୍ରଥମ ଭୂଇଁ ଉଭୟ ପଟରେ କଇଞ୍ଚିି ବାଡ଼ିଆ ଶେଷ ହୋଇଛି। ଏହାପରେ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ୱରେ ଅନ୍ଧାରୀ ତାଗ ବାଡ଼ିଆ ଯାଇ ଅଗଭୁଇଁ ବା ତୃତୀୟ ଭୂଇଁରେ କଇଞ୍ଚିି ସହ ଅନ୍ଧାରୀ ତାଗ ବାଡ଼ିଆ ଚାଲିଛି । ଭୂଇଁ ଫ୍ରେମ୍ ଗୁଡିକୁ ମଜବୁତ୍ କରି ଗଢ଼ି ତୋଳିବା ପାଇଁ ଭୂଇଁ ଫ୍ରେମ୍ ର ଉଭୟ ପାର୍ଶ୍ୱରେ କଇଞ୍ଚିି ସଦୃଶ କ୍ରସ୍ କରି କାଠ ବଟନ୍ ବାଡ଼ିଆ ଯିବା ସହ ମଝି ଭୂଇଁ ଏବଂ ଅଗ ଭୂଇଁ ର ଉଭୟ ପଟରେ ଦୁଇଟି ୧୬ ଫୁଟିଆ ବଟନ୍ ପଟା ର ଉଭୟ ପଟ କାପ କରାଯାଇ ଭୂଇଁ ଫ୍ରେମ୍ ଗୁଡିକରେ ସୁରକ୍ଷା ଦୃଷ୍ଟିରୁ ବାନ୍ଧେଣିି କରାଯିବ । ତିନି ରଥର ଚାରି କୋଣ ଗୁଡିକୁ ଛାଡ଼ି ତାଗ ବା ବଟନ୍ ବାଡ଼ିକା କାର୍ଯ୍ୟ ଶେଷ ପରେ ଆଜି ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ ଆରମ୍ଭ ହୋଇଛି ତିନି ରଥରେ ପଟା ବାଡ଼ିଆ କାର୍ଯ୍ୟ। ଏଥିସହ ତିନି ରଥର ୧୩ ପରାସ୍ତ ପୋଟଳ ମଧ୍ୟରୁ ଷଷ୍ଠ ଏବଂ ସପ୍ତମ ପାରାଭାଡ଼ି କୁ ଛାଡି ବାକି ଖପୁରୀ ସମେତ ସମସ୍ତ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି ତିନିରଥର ପଛ ଆଣି ଢ଼ମକ ପଛ ନାହାକା କୁ ଲଗାଇ ପକାଯିବା ସହ କଣ୍ଟା ବାଡ଼ିଆ ଶେଷ ହୋଇଛି । ଏହି ଆଗ ଏବଂ ପଛ ଢ଼ମକ ଉପରେ ୫ ଟି ଜଗତ ପୃଷ୍ଠ ଶେଣୀ ପଡ଼ିଲା ପରେ ତିନିରଥର ବେଦୀ ସିଂହାସନ ନିର୍ମାଣ ହେବ । ରୂପକାର ସେବକ ମାନେ ତିନିରଥର ୮ ଟି ଲେଖାଏଁ ନାଟ ଗୋଡ଼ ରୁ ଚାରିଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରି ବାକି ଚାରୋଟି ଲେଖାଏଁ ନାଟ ଗୋଡ଼ ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଗୋଡ଼ି ଛାଲ, ପୋଟଳ ବାଗିଆ କଣ୍ଟା ନିର୍ମାଣ ଶେଷ କରି ତିନିରଥର ପାଦି କଣ୍ଟା ସହ ଚାନ୍ଦି କ୍ଲାମ୍ପ କଣ୍ଟା ନିର୍ମାଣ କରୁଛନ୍ତି। ଚିତ୍ରକାର ସେବକ ମାନେ ରଥ ପାର୍ଶ୍ୱ ଦେବ ଦେବୀ ମାନଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ ରଥ ଚକ, ଗୁଜ,ପଟାଗୁଜ ଇତ୍ୟାଦିରେ ଧଳା ପ୍ରାଇମର୍ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ନିମନ୍ତେ ସେବା ପୂଜା ପାଇଁ ପାକୁରଙ୍କ ବେଶ ପାଇଁ ବେଶ ଘୋଡିଆ ,ଚାଙ୍ଗଡ଼ା ଷ୍ଟାଣ୍ଡ ଇତ୍ୟାଦି କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
