ପୁରୀ,: ଲତା ଚାରିଟେବୁଲ ଟ୍ରଷ୍ଟ ଓ ସମତା ସାହିତ୍ୟ ସମିତିର ମିଳିତ ଆନୁକୂଲ୍ୟରେ ମାଟି ମାର ପବିତ୍ର ଉତ୍ସବ ରଜପର୍ବ ଓଡ଼ିଆ ଉତ୍ସବ ୨୦୨୬ ରାଣୀ ସତୀଭବନ ଠାରେ ପାଳିତ ହୋଇଯାଇଛି । ଏଥିରେ ଟ୍ରଷ୍ଟର ପ୍ରତିଷ୍ଠାତା ଲତା ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡକ୍ଟର କାର୍ତ୍ତିକ କୁମାର ଦାସ, ସମ୍ମାନିତ ଅତିଥିଭାବେ ବରିଷ୍ଠ ଅଧିବକ୍ତା ରଚିତା ରାଉତରାୟ, ସମିତିର ସଭାପତି ପ୍ରତିଭା ତ୍ରିପାଠୀ, ଟ୍ରଷ୍ଟର ପ୍ରତିଷ୍ଠାତା ଲତା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ମତ ପ୍ରକାଶ କରିଥିଲେ ଯେ ବୃଷମାସର ଶେଷଦିନ ପହିଲି ରଜ । ମିଥୁନ ମାସର ପ୍ରଥମ ଦିନ ରଜ ସଙ୍କ୍ରାନ୍ତି, ତା’ପରଦିନ ଶେଷରଜ ବା ଭୂମିଦହନ ଭାବେ ପାଳିତ ହୋଇଥାଏ । ଏହି ତିନିଦିନ ଧରି ସମସ୍ତ ପ୍ରକାର କୃଷିକାର୍ଯ୍ୟ ବନ୍ଦ ରଖିବା ସହ ଧରିତ୍ରୀ ବା ମାଟି ମା’ଙ୍କୁ ବିଶ୍ରାମ ଦିଆଯାଇଥାଏ । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ଥିବା ପୃଥିବୀ ପୃଷ୍ଠରେ ଆଦ୍ୟ ଆଷାଢ଼ର ପ୍ରଥମ ବାରିଧାରା ପଡ଼ିବା ଫଳରେ ଏକ ବାଷ୍ପଧର୍ମୀ ତରଳ ପଦାର୍ଥ ନିର୍ଗତ ହୁଏ ବୋଲି କୁହାଯାଏ, ଯାହାକୁ ରଜ ନାମରେ ଅଭିହିତ କରାଯାଇଛି । ଓଡ଼ିଶା ଏଜ କୃଷିବହୁଳ ରାଜ୍ୟ ଏବଂ ଏଠାରେ କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । ସାଧାରଣ ଭାବେ ଆମ ରାଜ୍ୟରେ ରଜ ସମୟରେ ହିଁ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ । ତେଣୁ ରଜ ପୂର୍ବରୁ ହଳକରି ବୁଣାବୁଣି କାର୍ଯ୍ୟରେ କ୍ଲାନ୍ତ ହୋଇପଡ଼ିଥିବା ଚାଷୀମାନେ ଏହି ଅବସରରେ ବିଶ୍ରାମ ନେଇ ମଉଜ କରିବା ସହ ପରବର୍ତ୍ତୀ କୃଷିକର୍ମ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି । ରଜ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘରେ ଘରେ ବିଭିନ୍ନ ପ୍ରକାର ପିଠା ପଣା ପ୍ରସ୍ତୁତ କରାଯାଏ । ଏହି ସମୟରେ ରଜ ପାନର ଆଦର ବଢିଥାଏ । ପାଶ୍ଚାତ୍ୟ ସଭ୍ୟତା ଓ ଚଳଣି ଆମ ସମାଜକୁ କବଳିତ କରୁଥିବାରୁ ମାଟି ମାର ପର୍ବ ରଜ ଦିନକୁ ଦିନ ତାର ବିଶେଷ୍ୟତ କମିବାରେ ଲାଗିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଅଧ୍ୟାପକ ଭାରତୀ ଭୂଷଣ ଦାସ, ଜ୍ୟୋତିର୍ବିଦ ମୀନକେତନ ପଟ୍ଟଯୋଶୀ, ସୁରେଶ କୁମାର ପଟ୍ଟନାୟକ, ପଣ୍ଡିତ ସଦାଶିବ ମିଶ୍ର, ପ୍ରତିଭା ଦାଶ, ବିପିନ ବିହାରୀ ଦଳାଇ, ଆଶାଲତା ପ୍ରଧାନ, ଚାରୁଲତା ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ । ପ୍ରାରମ୍ଭରେ ଶିକ୍ଷାବିତ୍ କ୍ରିଷ୍ଣା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆୟୋଜିତ ଆଲୋଚନା ଚକ୍ରକୁ ସଂଯୋଜନା କରିଥିଲେ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ । ନୃସିଂହ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ର ପରେ କୁନି କୁନି କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ପ୍ରଦୀପ କୁମାର ନାୟକ, ତପନ କୁମାର ସେଠି ।
