ପୁରୀ: ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ମଙ୍ଗଳବାର ରଥ ନିର୍ମାଣର ୫୭ ତମ ଦିବସରେ ରଥ ନିର୍ମାଣ କାରି ସେବକମାନେ ପୂର୍ବଦିନ ପରି ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସୋମବାର ସୁଦ୍ଧା ତିନିରଥ ଉପର ତୃତୀୟ ଭୂଇଁ ଫ୍ରେମ ଉପରେ ଏକ ନମ୍ୱର ବଡ଼ ଥଳ ପୋଟଳ ସ୍ଥାପନ ହେବା ସହ, ରଥ ଉପର ପଟା ବାଡ଼ିଆ ପୂର୍ବରୁ ତାଗ ବା ବଟନ୍ ବାଡ଼ିଆ କାର୍ଯ୍ୟ ଜାରୀ ରହିଥିଲା । ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ସହଯୋଗୀ ମହାରଣା ଭୋଇ ସେବକ ମାନେ ମିଶି ତିନି ରଥର ମୂଳ କଇଞ୍ଚି ବା ଚାରି ନାହାକା କଇଞ୍ଚି ତିନିରଥରେ ଦୁଇଟି ଲେଖାଏଁ ଉଭୟ ପାର୍ଶ୍ୱରେ ପଡ଼ିଅଛି । ଏହି କଇଞ୍ଚିି ତିନିରଥ ଭୂଇଁ କୁ ମଜବୁତ୍ କରି ରଖିବା ପାଇଁ ଚାରି ନାହାକା ଭିତର ପାର୍ଶ୍ୱରେ ଚାର ନାହାକା ମୂଳରୁ କ୍ରସ କରି ଫିଟିଙ୍ଗ କରାଯାଇଛି । ରଥ ଚାଳିରେ ମହାରଣା ସେବକ ମାନେ ତିନିରଥର ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଛନ୍ତି। ମହାରଣା ସେବକ ମାନେ ତିନିରଥର ଦୁଆର ବେଢ଼ା ପାଇଁ ୮ ଟି ଲେଖାଏଁ ଗାରେଡ଼ି ଏବଂ ୪ ଗୋଟି ଲେଖାଏଁ ଅଁଳା ନିର୍ମାଣ ଶେଷ କରିଛନ୍ତି। ଆଜି ତିନିରଥ ର ଘୋଡ଼ା ସେଟିଙ୍ଗ ପାଇଁ ତିନି ରଥ ସମ୍ମୁଖ ଭାଗ ନୀରାଡ଼ି ତଳ ଭାଗରେ ଗୋଟିଏ ଗୋଟିଏ ଚାର ପରିଛା ଫିଟିଙ୍ଗ ସହ କଣ୍ଟା ପଡ଼ିବା ଶେଷ ହୋଇଛି।

ଏହି ଚାର ପରିଛା ରେ ଇସ ସଂଯୋଗ ହୋଇ ରଥରେ ଘୋଡ଼ା ଲାଗିବାରେ ସହାୟକ ହୋଇଥାଏ।ଏଥିସହ ଆଜି ତିନିରଥର ଆଗ ଆଣି ପଛ ଆଣି ଦୁଇଟି ଲେଖାଏଁ କତରା ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ ହୋଇଅଛି। ରୂପକାର ସେବକ ମାନେ ତିନିରଥର ଗୋଟିଏ ଗୋଟିଏ ଚାର ପରିଛାରେ ପଦ୍ମ ଫୁଲ ,ମୟୂର ଏବଂ ଡାଳି ଲତା ଖୋଦେଇ ଶେଷ ପରେ ତିନିରଥର ଭୋଇ ସେବକ ମାନଙ୍କୁ ଫିଟିଙ୍ଗ ପାଇଁ ଯୋଗାଇ ଦେବା ସହ ତିନିରଥର ଦୁଆର ବେଢ଼ା ପାଇଁ ନାଟ ଗୋଡ଼ ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି। ଚିତ୍ରକାର ସେବକ ମାନେ ପାର୍ଶ୍ୱ ଦେବ ଦେବୀ ମାନଙ୍କ ମୂର୍ତ୍ତି ଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ବାହ୍ୟ ଅଂଶ ଯଥା ଚକ, କୋଣ ଗୁଜ, ପଟା ଗୁଜ ଇତ୍ୟାଦିରେ ଧାଳା ପ୍ରାଇମର୍ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଏବଂ ଓଲଟ ଶୁଆ ଫିଟିଙ୍ଗ ପାଇଁ ନରାଜ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ଦୋଳ ବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ନିମନ୍ତେ ସେବା ପୂଜା ପାଇଁ କାଠ ଏବଂ ବାଉଁଶ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ତିନିରଥ ର ମହାରଣା ସେବକ ୭୭ ଜଣ, ଭୋଇ ସେବକ ୭୫ଜଣ, ରୂପକାର ସେବକ ୨୧ଜଣ ,କରତୀ ସେବକ ୪ଜଣ , ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୧୬ ଜଣ, ରଥଖଳା ସହାୟକ ୧ଜଣ ମୋଟ ୨୧୮ ଜଣ ସେବକ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ ରହିଛନ୍ତି ।
