ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଭାନପୁର ପଞ୍ଚାୟତର ଝାଙ୍କରପାଲି ଗ୍ରାମରେ ସୋମବାର ସକାଳେ ଘଟିଥିବା ଏକ ଚାକୁ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଭୟର ବାତାବରଣ ସୃଷ୍ଟି କରିଛି। ଜଣେ କୁରିଅର ଡିଲିଭରି କର୍ମଚାରୀ କେବଳ ଠିକଣା ପଚାରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଚାକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭାଲୁଡୁଙ୍ଗରି ଗ୍ରାମର ପିଣ୍ଟୁ ସାହୁ ଖପ୍ରାଖୋଲସ୍ଥିତ ଏକ ଘରୋଇ କୁରିଅର କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ସେ ଝାଙ୍କରପାଲି ଗ୍ରାମକୁ ଏକ ପାର୍ସଲ ଡିଲିଭରି କରିବା ପାଇଁ ଯାଇଥିଲେ। ପାର୍ସଲରେ ଉଲ୍ଲେଖ ଥିବା ଠିକଣା ଖୋଜିବା ପାଇଁ ସେ ଗ୍ରାମର ଜଣେ ଯୁବକ ପ୍ରକାଶ ସିଂ ବରିହାଙ୍କୁ ପଚାରିଥିଲେ। ମାତ୍ର ଠିକଣା ପଚାରିବାକୁ କେନ୍ଦ୍ର କରି ହଠାତ୍ ପ୍ରକାଶ ଉତ୍ତେଜିତ ହୋଇ ଏକ ଧାରୁଆ ଚାକୁରେ ପିଣ୍ଟୁଙ୍କୁ ପଛପଟୁ ଆକ୍ରମଣ କରିଥିଲା । ଆକ୍ରମଣରେ ପିଣ୍ଟୁ ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ସେଠାରୁ ପଳାଇ ନିଜ ଜୀବନ ବଞ୍ଚାଇଥିଲେ। ପରେ ସେ ଖପ୍ରାଖୋଲ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏନେଇ ଖପ୍ରାଖୋଲ ପୋଲିସ କେସ ନଂ ୧୨୨/୨୦୨୬ ରେ ଏକ ମାମଲା ଋଜୁ କରି ତୁରନ୍ତ ଝାଙ୍କରପାଲି ଗ୍ରାମରେ ପହଞ୍ଚି ଅଭିଯୁକ୍ତ ପ୍ରକାଶ କୁ ଗିରଫ କରିଥିଲେ। ଅଭିଯୁକ୍ତ କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବାବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ଉକ୍ତ ଘଟଣାରେ ଖପ୍ରାଖୋଲ ପୋଲିସର ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରୁଥିବା ବେଳେ, ଦିନ ଦ୍ୱିପ୍ରହରରେ ଏଭଳି ହିଂସାତ୍ମକ ଘଟଣା ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।
