ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ସୋମବାର କହିଛନ୍ତି ଯେ ପାକିସ୍ତାନ ସ୍ୱିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ସମାରୋହ ଆୟୋଜନ କରିବ। ଏହା ଦୁଇଟି ଦେଶ ମଧ୍ୟରେ ଚୁକ୍ତି ନୁହେଁ, ବରଂ ଏହା ଶାନ୍ତି ଏବଂ ଏକ କୂଟନୈତିକ ସଫଳତା ବୋଲି ଶେହବାଜ୍ ବିଶ୍ୱ ଶକ୍ତି ଗଠନକୁ ବିପଦରେ ପକାଇଥିବା ସଂଘର୍ଷର ଅନ୍ତ ଆଣିବା ପାଇଁ ପାକିସ୍ତାନର ପ୍ରୟାସ ବିଷୟରେ ଜାତୀୟ ପରିଷଦକୁ ସୂଚନା ଦେଇ କହିଥିଲେ। ଶେହବାଜ୍ ଆମେରିକା-ଇରାନ ଚୁକ୍ତିକୁ ଶାନ୍ତି ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ଅଭିହିତ କରି କହିଛନ୍ତି ଯେ ଏହା ତିନି ମାସ ଏବଂ ୧୬ ଦିନର ନିରନ୍ତର ପ୍ରୟାସ ପରେ ଏକ ନୂତନ ସୂର୍ଯ୍ୟୋଦୟର ସୂତ୍ରପାତ କରିଛି, ଯାହା ଲେବାନନ୍ ସମେତ ସାମରିକ କାର୍ଯ୍ୟାନୁଷ୍ଠାନର ତୁରନ୍ତ ଏବଂ ସ୍ଥାୟୀ ସମାପ୍ତିରେ ପରିଣାମ ହୋଇଛି। ସେ କହିଛନ୍ତି ଯେ ଉଭୟ ଦେଶର ନେତୃତ୍ୱ କଷ୍ଟକର ଆଲୋଚନା ସମୟରେ ଧର୍ଯ୍ୟ ଏବଂ ବିଚକ୍ଷଣତା ପ୍ରଦର୍ଶନ କରିଛନ୍ତି, ଯାହା ଫଳରେ ସମଗ୍ର ବିଶ୍ୱ ଉତ୍ସବ ପାଳନ କରିପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଏବଂ ଇରାନ ସେମାନଙ୍କର ୧୦୭ ଦିନିଆ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ କରିଛନ୍ତି, ଯାହା ଏକ ବିଶ୍ୱ ଶକ୍ତି ସଙ୍କଟ ସୃଷ୍ଟି କରିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଜୁନ୍ ୧୯ ତାରିଖରେ ସ୍ୱିଜରଲ୍ୟାଣ୍ଡରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ସେ କହିଛନ୍ତି ଯେ ପାକିସ୍ତାନ ଜୁନ୍ ୧୯ ତାରିଖରେ ଜେନେଭାରେ ଏହି ଐତିହାସିକ ଚୁକ୍ତିନାମାର ସ୍ୱାକ୍ଷର ସମାରୋହ ଆୟୋଜନ କରିବ ଏବଂ ପାକିସ୍ତାନର ଜନସାଧାରଣ, ଅନ୍ତର୍ଜାତୀୟ ସମୁଦାୟ ଏବଂ ଗୃହର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆଜି କେବଳ ପାକିସ୍ତାନରେ ରହୁଥିବା ଲୋକଙ୍କ ପାଇଁ ନୁହେଁ ବରଂ ସାରା ବିଶ୍ୱରେ ରହୁଥିବା ପାକିସ୍ତାନୀମାନଙ୍କ ପାଇଁ ମଧ୍ୟ ଗର୍ବର ଦିନ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମାରୁ ସୃଷ୍ଟି ହୋଇଥିବା ବିଶ୍ୱ ଆର୍ôଥକ ସ୍ଥିରତାର ଫଳ ପ୍ରତ୍ୟେକ ପାକିସ୍ତାନୀଙ୍କ ପାଖକୁ ଆଣିବ। ମୁଁ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ସରକାର ଏହି ଶାନ୍ତି ଚୁକ୍ତିନାମାରୁ ସୃଷ୍ଟି ହୋଇଥିବା ବିଶ୍ୱ ଆର୍ôଥକ ସ୍ଥିରତାର ଫଳ ପ୍ରତ୍ୟେକ ପାକିସ୍ତାନୀଙ୍କ ପାଖକୁ ଆଣିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ଯୁଦ୍ଧର ବିନାଶକାରୀ ପ୍ରଭାବ ସମଗ୍ର ବିଶ୍ୱ ଏବଂ ଏହାର ଅର୍ଥନୀତିକୁ ହଲାଇ ଦେଇଛି ଏବଂ ପାକିସ୍ତାନର ଅର୍ଥନୀତି ଉପରେ ମଧ୍ୟ ଏକ ବଡ଼ ପ୍ରଭାବ ପକାଇଛି, ଯାହା ଏପର୍ଯ୍ୟନ୍ତ ଜାରି ରହିଛି। ସେ ଆଲୋଚନା ପ୍ରକ୍ରିୟା ସମୟରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ଭୂମିକାର ପ୍ରଶଂସା କରି କହିଥିଲେ ଯେ ଏହି ଯୁଦ୍ଧର ନିଆଁକୁ ଦମନ କରିବା ଏବଂ ଶାନ୍ତି ପ୍ରତିଷ୍ଠା କରିବାରେ ଫିଲ୍ଡ ମାର୍ଶାଲ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ଆଲୋଚନା ସମୟରେ ଅନେକ ଥର ଏପରି ମନେ ହେଉଥିଲା ଯେ ମାମଲା ଶୀଘ୍ର ଶେଷ ହୋଇଯିବ, କିନ୍ତୁ ମୁନିର ହାର ମାନି ନଥିଲେ, ଯାହା ଫଳରେ ଗତକାଲି ରାତିରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ସେ ଦେଶର ରାଜନୈତିକ ନେତୃତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ-ଜରଦାରୀ ଏବଂ ଶାନ୍ତି ପାଇଁ ସରକାରୀ ପ୍ରୟାସକୁ ସମର୍ଥନ କରିବା ପାଇଁ ଅନ୍ୟାନ୍ୟ ଦଳର ମୁଖ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।
ଏହା ପୂର୍ବରୁ, ସୋମବାର ପ୍ରତ୍ୟୁଷରେ, ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ଏକ ଶାନ୍ତି ଚୁକ୍ତି ହୋଇଛି ଏବଂ ଶୁକ୍ରବାର ସ୍ୱିଜରଲ୍ୟାଣ୍ଡରେ ସ୍ୱାକ୍ଷର ହେବ।
