ପୁରୀ: ଜୁଲାଇ ୧୬ ତାରିଖ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜା ନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇପଡିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି । ଦ୍ରୁତ ଗତିରେ ଆଗେଇ ଚାଲିଛି ତିନିରଥ ନିର୍ମାଣ କାର୍ଯ୍ଯ । ସୋମବାର ରଥ ନିର୍ମାଣର ୫୬ ତମ ଦିବସରେ ରଥ ନିର୍ମାଣ କାରି ସେବକ ମାନେ ପୂର୍ବଦିନ ପରି ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ରବିବାର ସୁଦ୍ଧା ତିନିରଥ ଉପର ଭାଗ ସମ୍ମୁଖ ଏବଂ ପଛ ପାର୍ଶ୍ୱରେ ତାଗ ବା ବଟନ୍ ବାଡ଼ିଆ କାର୍ଯ୍ୟ ଆରମ୍ଭ ହେବାସହ ତିନିରଥର ଏକନମ୍ୱର ପୋଟଳ ନିର୍ମାଣ ପାଇଁ ପୋଟଳ ପଟା କଟିଙ୍ଗ,ସେଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ଅପରାହ୍ନରେ ମୁଖ୍ୟ ମହାରଣା ଉପସ୍ଥିତିରେ ସହଯୋଗୀ ମହାରଣା ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥର ତୃତୀୟ ଭୂଇଁ ଉପରେ ସ୍ଥାପନ ହୋଇଛି । ଏକ ନମ୍ୱର ବଡ଼ ଥଳ ପୋଟଳ । ତିନିରଥର ଏକ ନମ୍ୱର ପୋଟଳ ସଂଯୋଗ ହେବା ପରେ, ତିନି ରଥ ଚାଳିରେ ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ତିନି ରଥର ଏହି ପୋଟଳ ୧୩ ପରାସ୍ତ ବିଶିଷ୍ଟ, ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ । ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶ୍ରୀର୍ଷ ଭାଗ ଅଂଶ ପରି ଦୃଶ୍ୟମାନ ହୋଇଥାଏ । ଏଥିସହ ଆଜି ତିନି ରଥର ଚାରି ନାହାକାକୁ ମଜବୁତ୍ କରିବା ପାଇଁ ଚାରି ନାହାକାର ଉଭୟ ପାର୍ଶ୍ୱରେ ମୂଳ କଇଞ୍ଚି ବାଡ଼ିଆ ହେଉଛି। ସେଥି ପାଇଁ ତିନି ରଥର ମହାରଣା ସେବକ ମାନେ ୨୦ ଫୁଟିଆ କାଠ ଫଳି କୁ ଚଉପଟ ଆରମ୍ଭ କରିଛନ୍ତି । ସେଥିରେ ମାପ ପ୍ରକାରେ କାପ ଖୋଦେଇ ସହ ସୋମବାର ରଥରେ କଇଞ୍ଚି କୁ କ୍ରସ୍ କରି ବାଡ଼ିଆ ଯାଇଛି । ଏଥିସହ ଆଜି ରଥ ଉପର ସିଂହାସନ ବେଦୀ ଉଭୟ ପାର୍ଶ୍ୱରେ ତାଗ୍ ବା ବଟନ୍ ବାଡ଼ିଆ କାର୍ଯ୍ୟ ଜାରୀ ରହିଛି। ରୂପକାର ସେବକ ମାନେ ତିନିରଥର ଦୁଆର ବେଢ଼ାରେ ଲାଗିବା ପାଇଁ ୪ ତିଲେଖାଏଁ ନାଟଗୋଡ଼ ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରି ବାକି ତିନିରଥର ୪ ଗୋଟି ଲେଖାଏଁ ନାଟ ଗୋଡ଼ ରେ କନ୍ଦର୍ପ ରୂପ ଖୋଦେଇ କାର୍ଯ୍ୟ ଏବଂ ତିନିରଥର ଗୋଟିଏ ଗୋଟିଏ ଚାର ପରିଛା ରେ ପଦ୍ମ ଫୁଲ , ମୟର ଏବଂ ଡାଳି ଲତା ଖୋଦେଇ କାର୍ଯ୍ୟ ଜାରୀ ରଖିଛନ୍ତି।ଚିତ୍ରକାର ସେବକ ମାନେ ତିନି ରଥର ପାର୍ଶ୍ୱ ଦେବ ଦେବୀ , ନର୍ତ୍ତକୀ , ଶିଖର ଡମ୍ବରୁ , ଅଁଳା, ଏବଂ ଓଲଟ ଶୁଆ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ, ଆଜି ନନ୍ଦି ଘୋଷ ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ପୂର୍ବରୁ ଧଳା ପ୍ରାଇମର୍ ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥରେ କତରା ବାଡ଼ିଆ ଯିବା ପାଇଁ ୫୬ ଗୋଟି କତରା କଣ୍ଟା (ଅଗ ପତେଳୀ ଏବଂ ଚଉରସ କଣ୍ଟା) ଯୋଗାଇ ଦେଇ, ତିନି ରଥର ଦୁଆର ବେଢ଼ା ପାଇଁ ଗାରେଡ଼ି, ମଗର ଏବଂ ଚନ୍ଦ୍ର ଶାଳୀ ପାଇଁ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ରଥ ଯାତ୍ରା ନିମନ୍ତେ ସେବା ପୂଜା ପାଇଁ କାଠ ବାଉଁଶ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି। ତିନିରଥ ର ମହାରଣା ସେବକ ୭୭ ଜଣ, ଭୋଇ ସେବକ ୭୫ଜଣ , ରୂପକାର ସେବକ ୨୧ଜଣ ,କରତୀ ସେବକ ୪ଜଣ ,ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୧୬ଜଣ,ରଥଖଳା ସହାୟକ ୧ଜଣ ମୋଟ ୨୧୮ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣରେ କାର୍ଯ୍ଯରତ ଅଛନ୍ତି ।
