ବ୍ରହ୍ମପୁର : ଗଜପତିରୁ ପୁରୀ ଚାଲାଣ ବେଳେ ଆଜି ବିପୁଳ ପରିମାଣର ଗଂଜେଇ ଜବତ । ବ୍ରହ୍ମପୁର ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ଟିମ ଦିଗପହଣ୍ଡିରେ ଚଢ଼ାଉ କରି ଏହାକୁ ଜବତ କରିଛି। ଏକ ବୋଲେରୋ ପିକଅପ ଭ୍ୟାନରେ ନୟାଗଡ଼ର ପ୍ରଦୀପ କୁମାର ଶତପଥୀ ୧୨୬୦ କିଲୋ ଭାଙ୍ଗ ଗଜପତିରୁ ଆଣି ପୁରୀ ଅଭିମୁଖେ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଅବକାରୀ ନିରୀକ୍ଷକ ମନୀଷା ଭୋଳଙ୍କ ନେତୃତ୍ୱରେ ଏକ ଟିମ ଚଢାଉ ପାଇଁ ଆଗୁଆ ସଜାଗ ହୋଇ ରହିଥିଲେ। ପ୍ରଦୀପ ଭାଙ୍ଗ ବସ୍ତା ବୋଝେଇ ଗାଡି ଧରି ଆସୁଥିଲା ବେଳେ ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଭାଙ୍ଗ ବୋଝେଇ ନେଇ ସେ କୌଣସି ଲାଇସେନ୍ସ ଦେଖାଇ ପାରିନଥିଲେ। ପରେ ଏହା ଚୋରାରେ ନେଇ ପୁରୀରେ ବିକ୍ରି ହୋଇଥାନ୍ତା ବୋଲି ଜଣା ପଡିଥିଲା। ଏନେଇ ଏକ ମାମଲା ରୁଜୁ ସହ ଅଭିଯୁକ୍ତ ପ୍ରଦୀପକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଭାଙ୍ଗ ସହ ପିକଅପ ଭ୍ୟାନ ବି ଜବତ ହୋଇଛି। ଏଏସଆଇ ଭୂବନୀ ବେହେରା, ଏନ. ତ୍ରିପାଠୀଙ୍କ ସହ ସୁଧାକର ଶବର, ଜି. କ୍ରିଷ୍ଣା ରାଓ, ସ୍ୱୟମ୍ଭୁ କହଁର, କେ. ଗୋପାଳ ରେଡ୍ଡୀ, ବଳରାମ ବେହେରା ଓ ଏସ.କେ ଉଦ୍ଦିନ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ।
