ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ। ବାରିକେଡ୍ରେ ଦର୍ଶନ ପାଇଁ ୨ ଘଣ୍ଟା ଛିଡ଼ା ହେବା ପରେ ହେଲା ଠେଲାପେଲା । ପଛରୁ କେହି ଏମିତି ଠେଲି ଦେଇ ଚାଲିଗଲା ଯେ, ସେ ତଳେ ପଡ଼ିଗଲେ । ଆଣ୍ଠୁ ପାଖରୁ ଗୋଡ଼ ଭାଙ୍ଗିଗଲା। ବାରିକେଡ୍ରୁ ଫେରିଲେ ମେଡିକାଲ୍ । ଆଉ ଜଗନ୍ନାଥ ଦର୍ଶନ ନୋହିଲା। ସେବେଠାରୁ ମେଡିକାଲ୍ରେ ପଡ଼ିଛନ୍ତି। ସରକାରୀ ମେଡିକାଲ୍ ଅପରେସନ ନ କରିବାରୁ ଏବେ ଘରୋଇ ହସ୍ପିଟାଲକୁ ଆସିଛନ୍ତି। ଅପରେସନ ହେଲେ ଗୋଡ଼ ଠିକ୍ ହେବ । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଣେ ବୟସ ୭୦ ଛୁଇଁଥିବାରୁ ଗୋଡ଼ ଆଉ ଠିକ୍ ହେବ କି ନାହିଁ ମଧ୍ୟ ସନ୍ଦେହ ।ଦର୍ଶନ ବ୍ୟବସ୍ଥାରେ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନଗତ ତ୍ରୁଟି ପାଇଁ କେବଳଏହି ଭକ୍ତଙ୍କ ଯନ୍ତ୍ରଣା ପାଉ ନାହାନ୍ତି, ବରଂ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଛି। ଆମ୍ବୁଲାନ୍ସରେ ମେଡିକାଲ୍ ପଠେଇ ଦେବା ପରେ ନା ପୁଲିସ ନା ଶ୍ରୀମନ୍ଦିର ପ୍ରଶାସନ କେହି ମୁଣ୍ଡ ପୂରାଇ ନାହାନ୍ତି।ଆହତ ମହିଳା ହେଉଛନ୍ତି ଡେଲାଙ୍ଗର ମୀନାକ୍ଷୀ ଚନ୍ଦଟରାୟା ବୟସ ୭୦ ।୬ ତାରିଖ ସନ୍ଧ୍ୟା ୭ଟାରୁ ସେ ଧାଡ଼ିରେ ଛିଡ଼ା ହୋଇଥିଲେ। ୯ଟା ବାଜିଗଲା, ହେଲେ ଧାଡ଼ି ମାତ୍ର ୨୦ ମିଟର ଆଗକୁ ବଢ଼ିଥିଲା। ଶହଶହ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ହଠାତ୍ ଗେଟ୍ ଖୋଲିଦେବାରୁ ଭକ୍ତମାନେ ଦଉଡ଼ିବା ଆରମ୍ଭ କରିଥିଲେ। ମୀନାକ୍ଷୀ ତଳେ ପଡ଼ିଯିବାରୁ ତାଙ୍କ ଗୋଡ଼ଭାଙ୍ଗି ଯାଇଥିଲା। ତାଙ୍କ ଭଉଣୀ ଓ ଝିଆରୀ ତାଙ୍କୁ ତଳୁ ନ ଉଠାଇଥିଲେ, ହୁଏତ ଜୀବନ ଚାଲି ଯାଇଥାନ୍ତା ବୋଲି ସେ କହିଛନ୍ତି। ଏବେ ବହୁତ ପଇସା ଖର୍ଚ୍ଚ ହୋଇ ଅପରେସନ୍ ହେବାକୁ ଥିବାରୁ ମୀନାକ୍ଷୀ ଶ୍ରୀମନ୍ଦିର ପ୍ରଶାସନର ସହାୟତା ଲୋଡ଼ିଛନ୍ତି ।
