ବାଲୁଗାଁ: ରବିବାର ପୂର୍ବାହ୍ନରେ ବାଲୁଗାଁ ଅବକାରୀ ବିଭାଗ ଓ ରେଳ ବିଭାଗ ମିଳିତ ଚଢ଼ାଉରେ ୨୨ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି।ଅଭିଯୁକ୍ତ ଜଣକ ଗୁଜୁରାଟ ଗାନ୍ଧୀନଗର ଜିଲ୍ଲା ପିଠାପୁର ଥାନା ଅଞ୍ଚଳର ସ୍ୱର୍ଗତ ସୌକତ ଅଲ୍ଲୀଙ୍କ ପୁଅ ମହମ୍ମଦ ସଲମାନ (୩୨)।ସୂଚନା ମୁତାବକ ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଲାଣ ବେଧଡକ ଭାବେ ହେଉଥିବା ବେଳେ ଏହାକୁ ଦମନ କରିବାପାଇଁ ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଚଢାଉ ଜାରି ରହିଥିବା ବେଳେ କୌଣସି ସୂତ୍ରରୁ ବାଲୁଗାଁ ରେଳ ଷ୍ଟେସନ ନିକଟରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିବା ପରେ ୧ ନଂ ପ୍ଲାଟଫର୍ମ ନିକଟରେ ଜଣେ ସନ୍ଧିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖି ବାଲୁଗାଁ ରେଳ ସୁରକ୍ଷା ବଳକୁ ସୂଚନା ଦେଇଥିଲେ।ତେବେ ଉଭୟ ଅବକାରୀ ବିଭାଗ ଓ ରେଳ ସୁରକ୍ଷା ବଳ ମିଳିତ ଉଦ୍ୟମରେ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରିବାସହ ତା ନିକଟରୁ ଦୁଇଟି ଲଗେଜ୍ ବ୍ୟଗ ତନଖି କରିବାରେ ୨୨ କେଜି ଗଞ୍ଜେଇ ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି।ସମସ୍ତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।ଏନେଇ କେଶ ନଂ ୨୩/୨୬-୨୭ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଅଜିତ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଅଜିତ ପାତ୍ର,ଆରପିଏଫ ଏସଆଇ ତପନ କୁମାର ନାୟକ,ଏସଆଇ କୃଷ୍ଣଚନ୍ଦ୍ର ସାହୁ,ବାଲୁଗାଁ ଅବକାରୀ ଅଧିକାରୀ ରାମଚନ୍ଦ୍ର ଜେନା,ଆରପିଏଫ କନେଷ୍ଟବଳ ପିଏଏଲ ରେଡ୍ଡୀ,ଏନଏମ ଖୁଣ୍ଟିଆ,ଅବକାରୀ କନେଷ୍ଟବଳ ଅନିଲ କୁମାର ପ୍ରଧାନ,ସତ୍ୟବ୍ରତ ମାଝି ପ୍ରମୁଖ ସାମିଲ ଥିଲେ।
