କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ମହାନଦୀ ଉତ୍ତର ଡିଭିଜନ୍?ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କର ଏକ ବ୍ୟାଙ୍କ ଲକରରୁ ୬୦୬.୩୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ଓଡ଼ିଶା ଭିଜିଲାନ୍ସ। ତିନି ଦିନିଆ ପୋଲିସ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମାମଲାର ଅଧିକ ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ ପ୍ରସନ୍ନଜିତ ଦାସଙ୍କୁ ପୋଲିସ ରିମାଣ୍ଡରେ ନେବାକୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆବେଦନ କରିଥିଲେ। ଅଦାଲତ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ। ରିମାଣ୍ଡ ସମୟରେ ଗତକାଲି ତାଙ୍କୁ ବରଗଡ଼ାସ୍ଥିତ ଆକ୍ସିସ୍ ବ୍ୟାଙ୍କକୁ ନିଆଯାଇ ତାଙ୍କ ଦ୍ୱାରା ପରିଚାଳିତ ଲକରର ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଲକରରୁ ୬୦୬.୩୦ ଗ୍ରାମ ସୁନା ଅଳଙ୍କାର ମିଳିଥିଲା। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୭ ତାରିଖରେ ଏକ ଇଣ୍ଟରସେପ୍ସନ୍ ଅପରେସନ୍ ସମୟରେ ପ୍ରସନ୍ନଜିତ ଦାସଙ୍କଠାରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହାପରେ ତାଙ୍କର ବିଭିନ୍ନ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଥିଲା। ଫଳରେ ତାଙ୍କଠାରୁ ଜବତ ମୋଟ ନଗଦ ଟଙ୍କାର ପରିମାଣ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାରେ ପହଞ୍ଚିଥିଲା।ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୪/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ବି) ଅନୁଯାୟୀ ମାମଲାର ତଦନ୍ତ ଚାଲିଛି। ନଗଦ ଟଙ୍କା ଜବତ ପରେ ବ୍ୟାଙ୍କ ଲକରରୁ ବିପୁଳ ପରିମାଣର ସୁନା ମିଳିବା ଘଟଣା ତଦନ୍ତକୁ ନୂଆ ଦିଗ ଦେଇଛି। ମାମଲାର ତଦନ୍ତ ଜାରି ରହିଛି।
