ବାରିପଦା: ବାରିପଦା ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ସହରର ଜନସଂଖ୍ୟା ଏବଂ ଗାଡ଼ି ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ, ସେହି ଅନୁପାତରେ ରାସ୍ତାର ସମ୍ପ୍ରସାରଣ ହୋଇପାରୁନାହିଁ। ଏହା ସହିତ ମନଇଚ୍ଛା ବେଆଇନ ପାର୍କିଂ ଯୋଗୁଁ ସହରର ମୁଖ୍ୟ ରାସ୍ତାଗୁଡ଼ିକ ସଙ୍କୁଚିତ ହୋଇ ପଡ଼ୁଛି, ଯାହାଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଜୀବନହାନିର କାରଣ ସାଜୁଛି। ଏହିପରି ଏକ ସ୍ଥିତି ମଧ୍ୟରେ ଆଜି ସହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ବିଜୁ ପଟ୍ଟନାୟକ ପାର୍କ ଆଡ଼ୁ ଏକ ଦ୍ରୁତଗାମୀ କାର୍ ଆସୁଥିବା ବେଳେ ବାଘଘର ଛକ ନିକଟସ୍ଥ ଏକ ଗଳିରୁ ଏକ ବାଇକ୍ ବାହାରୁଥିଲା। କାର୍ଟି ଏତେ ସ୍ପିଡ୍ରେ ଥିଲା ଯେ ଚାଳକ ଜଣକ ନିୟନ୍ତ୍ରଣ ହରାଇ ବାଇକ୍କୁ ସାଂଘାତିକ ଭାବେ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ, କାର୍ଟି ବାଇକ୍ ଉପରକୁ ଚଢ଼ି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଇକ୍ ଆରୋହୀ ଯୁବକ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଥିଲେ। ସ୍ଥାନୀୟ ଲୋକେ ତତ୍ପରତା ଦେଖାଇ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରଶାସନ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସହରର ସଙ୍କୁଚିତ ରାସ୍ତା ଏବଂ ବେଆଇନ ପାର୍କିଂ ଉପରେ ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଆଗକୁ ଏଭଳି ଦୁର୍ଘଟଣା ଆହୁରି ବଢ଼ିବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି ।
