ବାରିପଦା /କରଞ୍ଜିଆ; ଅବୈଧ ଦେଶୀ ମହୁଲି ମଦ ପ୍ରସ୍ତୁତି ଓ ବିକ୍ରୟ ଉପରେ ଅଙ୍କୁଶ ଲଗାଇବା ପାଇଁ କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଅଭିଯାନକୁ ଜୋରଦାର କରାଯାଇଛି। ଏହି କ୍ରମରେ ଆଜି କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ସାରଙ୍ଗଗଡ଼, ଝାଟିଆଳି ଓ ବଡ଼ସରେଇ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମୋଟ ୭୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ଅବୈଧ ଦେଶୀ ମହୁଲି ମଦ ବିକ୍ରୟ ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। କରଞ୍ଜିଆ ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଓଆଇସି ରଶ୍ମି ରଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇଥିଲେ। ଅବକାରୀ ଟିମ୍ ପକ୍ଷରୁ ତିନୋଟି ଗ୍ରାମରେ ଚଢ଼ାଉ କରାଯାଇ ଅଭିଯୁକ୍ତମାନଙ୍କ ନିକଟରୁ ମଦ ଜବତ କରାଯାଇଥିଲା। ଚଢ଼ାଉ ସମୟରେ ସାରଙ୍ଗଗଡ଼ ଗ୍ରାମର ଜୟସିଂ ଗାଗରାଇଙ୍କ ନିକଟରୁ ୨୫ ଲିଟର, ବଡ଼ସରେଇ ଗ୍ରାମର ଅନନ୍ତ ପାତ୍ରଙ୍କ ନିକଟରୁ ୨୫ ଲିଟର ଏବଂ ଝାଟିଆଳି ଗ୍ରାମର ମହିଳା ଅଭିଯୁକ୍ତ ଅନିତା ନାଏକଙ୍କ ନିକଟରୁ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିଲା। ଏହିପରି ତିନୋଟି ସ୍ଥାନରୁ ମୋଟ ୭୦ ଲିଟର ମହୁଲି ମଦ ଜବତ କରିବା ସହ ତିନି ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏହି ଘଟଣାକୁ ନେଇ କରଞ୍ଜିଆ ଅବକାରୀ ଥାନାରେ କେସ୍ ନମ୍ବର ୧୩୯, ୧୪୦ ଓ ୧୪୧/୨୦୨୬-୨୭ ମୂଳେ ତିନୋଟି ମାମଲା ରୁଜୁ କରାଯାଇଛି। ଆଇନ ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରୟ ଦ୍ୱାରା ଆଇନଶୃଙ୍ଖଳା ଏବଂ ଜନସ୍ୱାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ଏଭଳି ବେଆଇନ କାର୍ଯ୍ୟକଳାପ ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ନଜର ରଖାଯାଉଛି। ଏହି ଚଢ଼ାଉ ଫଳରେ ଅଞ୍ଚଳରେ ଅବୈଧ ମଦ ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ଛନକା ପଶିଛି। ଏ ସମ୍ପର୍କରେ କରଞ୍ଜିଆ ଅବକାରୀ ବିଭାଗର ଓଆଇସି ରଶ୍ମି ରଞ୍ଜନ ନାୟକ କହିଛନ୍ତି ଯେ, ଅଞ୍ଚଳରେ ଅବୈଧ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରୟ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଅଭିଯାନ ଜାରି ରହିବ। ବେଆଇନ ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କରଞ୍ଜିଆ ଅବକାରୀ ବିଭାଗର ଏହି ଚଢ଼ାଉ ଅବୈଧ ମଦ କାରବାର ଉପରେ ନିୟନ୍ତ୍ରଣ ଆଣିବା ଦିଗରେ ଏକ ପଦକ୍ଷେପ ଭାବେ ଦେଖାଯାଉଛି। ଆଗାମୀ ଦିନରେ ଏହି ଅଭିଯାନ କେତେ ମାତ୍ରାରେ ବେଆଇନ ମଦ କାରବାରକୁ ରୋକିବାରେ ସଫଳ ହେଉଛି, ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।
