ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ବିଳମ୍ବିତ ରାତିରେ ଝଡ଼ ଯୋଗୁଁ ବେତୱା ନଦୀ ଉପରେ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ଭୋର ପ୍ରାୟ ୩ଟା ସମୟରେ ଜିଲ୍ଲାର ମୋରା କନ୍ଦୌର ଏବଂ କୁରାରା ଅଞ୍ଚଳକୁ ସଂଯୋଗ କରିବା ପାଇଁ ନିର୍ମିତ ପୋଲ ଉପରେ ଘଟିଥିଲା। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ପ୍ରବଳ ପବନ ଏବଂ ଝଡ଼ ସମୟରେ ନିର୍ମାଣାଧୀନ ପୋଲର ଏକ ସ୍ଲାବ୍ ହଠାତ୍ ଖସି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଲେ। ଏହି ସମୟରେ ଶ୍ରମିକମାନେ ଏକ ସ୍ଲାବ୍ର ଉପର ଅଂଶରେ ଶୋଇଥିଲେ। ଏ ନେଇ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା, ପୋଲିସ, ଜିଲ୍ଲା ପ୍ରଶାସନ ଦଳ ଏବଂ ଜରୁରୀକାଳୀନ ସହାୟତା ଦଳ ଘଟଣାସ୍ଥଳକୁ ଯାଇଥିଲେ। ଅନେକ ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ ଘଟଣାସ୍ଥଳରେ ସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡିତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପାଇଁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଆର୍ôଥକ ସହାୟତା ଘୋଷଣା କରିଛନ୍ତି ଏବଂ ଭୁଶୁଡ଼ି ପଡ଼ିବା ଘଟଣାରେ ଆହତ ସମସ୍ତ ଲୋକଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାଲିସ କହିଛି ଯେ ଘଟଣାରେ ମୃତକଙ୍କ ନାମ ଲୋକେନ୍ଦ୍ର (୨୨), କୁଲଦୀପ ନିଷାଦ (୧୯), ସାୱନ୍ତ ଯାଦବ (୨୮) ଏବଂ ସଭାଜିତ (୩୦), ପୁଷ୍ପେନ୍ଦ୍ର ଚୌହାନ (୩୪) ଏବଂ ରାଜେଶ ପାଲ (୪୨)। ଏକ ସ୍ତମ୍ଭ ତଳେ ୩ ଜଣ ଶ୍ରମିକ ଫସି ରହିଥିଲେ ଏବଂ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
