ପୁରୀ: ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ଏକ ପ୍ରସଙ୍ଗ ଭିତ୍ତିକ କର୍ମଶାଳା ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭା ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମାନସ ରଞ୍ଜନ ବାରିକ ଅଧ୍ୟକ୍ଷତା କରି ଜଣେ ପ୍ରକୃତ ଉଦ୍ୟମୀ ହେବା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ନିଜର ମାର୍କେଟିଙ୍ଗ ବ୍ୟବସ୍ଥାବଳୀ ଉପରେ ସବୁ ସମୟରେ ସଜାଗ ରହିବା ପାଇଁ ଉପସ୍ଥିତ ଉଦ୍ୟୋଗୀ ମାନଙ୍କୁ ପ୍ରେରଣା ଦେଇଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଅଗ୍ରଣୀ ବ୍ୟାଙ୍କ୍ ଅଧିକାରୀ ଅନିଲ ଭୋଇ, ଆଇସିଆଇସିଆଇ ବ୍ୟାଙ୍କ ଅଧିକାରୀ ସୌରଭ ମିଶ୍ର, ଡିଆଇପିଏ ପୁରୀ ଟିମ୍ ସଦସ୍ୟ ବିଶ୍ୱନାଥ ଯୋଶୀ, ସଫଳ ଉଦ୍ୟୋଗୀ ନେତାଜୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଉଦ୍ୟୋଗୀ ମାନଙ୍କୁ ବିଭିନ୍ନ ଦିଗ ପ୍ରତି ନଜର ରଖି ଜଣେ ସଫଳ ଉଦ୍ୟୋଗୀ ହେବାର ଶୃଙ୍ଖଳିତ ଉପାୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

କର୍ମଶାଳା କୁ ଜିଲ୍ଲା ଶିଳ୍ପ ଅଧିକାରୀ ନିର୍ମଳ କୁମାର ମହାରଣା ପରିଚାଳନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହା ବ୍ୟତୀତ ପିଏମଏଫଏମଇ ଯୋଜନାର ଜିଲ୍ଲା ପରାମର୍ଶ ଦାତା ପ୍ରୀତମ ରଞ୍ଜନ ଦାଶ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କର୍ମଶାଳାରେ ସରାକରଙ୍କ ରୋଜଗାର ଭିତ୍ତିକ ଯୋଜନାରେ ଲାଭବାନ୍ ହୋଇ ଜଣେ ସଫଳ ଉଦ୍ୟୋଗୀ ଭାବେ ପୁରୀ ଜିଲ୍ଲା ର ଅଗ୍ରଣୀ ଫଟୋ ସାମ୍ବାଦିକ ଦିବ୍ୟ ରଞ୍ଜନ ବିଶୋଇ ଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

କର୍ମଶାଳାରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଉଦ୍ୟୋଗୀ ଉପସ୍ଥିତ ରହି ନିଜ ନିଜ ଅଭିଜ୍ଞତା ସମ୍ବଳିତ ବକ୍ତବ୍ୟ ରଖିଥିଲେ। ପରିଶେଷରେ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଉଦ୍ୟମୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଜିଲ୍ଲା ଶିଳ୍ପକେନ୍ଦ୍ର ପୁରୀ ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।
