ବାରିପଦା ; ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ପୃଥକ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ଘର ପାଖ ନଳକୂପ ନିକଟରୁ ମିଳିଛି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ. ଅନ୍ୟପଟେ ନିଜ ଘର ଭିତରୁ ଉଦ୍ଧାର ହୋଇଛି ଜଣେ ୨୧ ବର୍ଷୀୟ ଯୁବତୀଙ୍କ ମୃତଦେହ । ଏହି ଦୁଇଟି ଘଟଣାରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । କିନ୍ତୁ ଏହି ଦୁଇ ମୃତ୍ୟୁ ପଛରେ ରହିଛି କେଉଁ କାରଣ ଦୁର୍ଘଟଣା, ଆତ୍ମହତ୍ୟା ନା ଆଉ କିଛି ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସାମ୍ନାକୁ ଆସିବ ପ୍ରକୃତ ତଥ୍ୟ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା, ଗଡ଼ିଆ ପଞ୍ଚାୟତର ନୂହାମାଳିଆ ଗାଁରୁ ଆସିଛି ପ୍ରଥମ ମୃତ୍ୟୁ ଖବର । ଗାଁର ମାନେକର ସି, ବୟସ ପ୍ରାୟ ୪୫ ବର୍ଷ. ନିଜ ଘର ପାଖ ନଳକୂପ ନିକଟରୁ ତାଙ୍କର ମୃତଦେହ କୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ. କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ମୃତ୍ୟୁ ପୂର୍ବରୁ କୌଣସି ଅସ୍ୱାଭାବିକ ଘଟଣା ଘଟିଥିଲା କି? ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ? ଏସବୁ ପ୍ରଶ୍ନର ଉତ୍ତର ଏବେ ତଦନ୍ତ ଉପରେ ନିର୍ଭର କରୁଛି । ମୃତଦେହକୁ ଜବତ କରି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏପଟେ ସେହି ଗଡ଼ିଆ ପଞ୍ଚାୟତର ଗଡ଼ିଆ ଗାଁରୁ ଆସିଛି ଆଉ ଏକ ମୃତ୍ୟୁ ଖବର । ନିର୍ମଳ କୁମାର ପାତ୍ରଙ୍କ ୨୧ ବର୍ଷୀୟ ଝିଅ ଅଙ୍କିତା ପାତ୍ରଙ୍କ ମୃତଦେହ ତାଙ୍କ ନିଜ ଘରର ଏକ କୋଠରୀରୁ ଉଦ୍ଧାର ହୋଇଛି । ପ୍ରାଥମିକ ସୂଚନା ଅନୁସାରେ, ଅଙ୍କିତା ଘରର ସିଲିଂ ଫ୍ୟାନ୍ରେ ଚୂନରୀ ଲଗାଇ ଆତ୍ମହତ୍ୟା କରିଥିବାର କୁହାଯାଉଛି । ତେବେ ଏହା ଆତ୍ମହତ୍ୟା ବୋଲି ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ଶୁଳିଆପଦା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି । ଗୋଟିଏ ପଞ୍ଚାୟତର ଦୁଇଟି ଭିନ୍ନ ଗାଁରେ ଦୁଇଟି ମୃତ୍ୟୁ ଘଟଣା କ୍ରମ ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଘର ପାଖ ନଳକୂପ ନିକଟରୁ ମିଳିଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି । ଏହି ଦୁଇଟି ଘଟଣାକୁ ନେଇ ଶୁଳିଆପଦା ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି । ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ଦୁଇଟି ମୃତ୍ୟୁ । ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ହିଁ ଏହି ଦୁଇ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି ।
