ନୂଆଦିଲ୍ଲୀ: ସୋମବାର ଦିନ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ନିକଟରେ ଥିବା “ନର୍ଥ ବ୍ଲକ’ ଅଞ୍ଚଳରେ ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ଦିଲ୍ଲୀ ଅଗ୍ନିଶମ ସେବା ବିଭାଗକୁ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ସେମାନେ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଇଥିଲେ। ନିଆଁକୁ ଖୁବ୍ ଶୀଘ୍ର ନିୟନ୍ତ୍ରଣକୁ ଅଣାଯାଇଥିଲା ଏବଂ ଏଥିରେ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ନାହିଁ। ଅଧିକାରୀମାନେ କହିଛନ୍ତି ଯେ, ଅଗ୍ନିକାଣ୍ଡ ଘଟିବା ସମୟରେ ସେଠାରେ କିଛି ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏକ କୋଠାର ଛାତ ଉପରେ ୱେଲ୍ଡିଂ କାମ ଚାଲିଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା, ଯାହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇପାରିଥିଲା। ଅଗ୍ନିଶମ ବିଭାଗ ଏକ ବିବୃତ୍ତିରେ କହିଛି, “ନର୍ଥ ବ୍ଲକର ଛାତ ଉପରେ ଲାଗିଥିବା ଏକ ଏସି ବଏଲରରେ ନିଆଁ ଲାଗିଯାଇଥିଲା। ସେଠାରେ ୱେଲ୍ଡିଂ କାମ ଚାଲିଥିବା ବେଳେ ହଠାତ୍ ସର୍ଟ ସର୍କିଟ୍ ହେବାରୁ ଏସି ବଏଲରରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି।
ଏହି ସମୟରେ, ଶିବସେନାର ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା କହିଛନ୍ତି ଯେ ସେ ସଂସଦକୁ ଯିବା ବାଟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ପାଇଥିଲେ। ସେ ମାଇକ୍ରୋବ୍ଲଗିଂ ସାଇଟ୍ “ଏକ୍ସ’ରେ ଏହି ଘଟଣାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଏକ ସ୍ଥାନରୁ ଧୂଆଁ ବାହାରୁଥିବା ଦେଖାଯାଉଛି। ଶିବସେନା ସାଂସଦ କହିଛନ୍ତି, “ସଂସଦକୁ ଯିବା ବାଟରେ ନର୍ଥ ବ୍ଲକ ପଛପଟୁ ଘନ ଧୂଆଁ ବାହାରୁଥିବାର ଦେଖିଲି। ଲାଗୁଛି ସେଠାରେ ନିଆଁ ଲାଗିଛି। ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ ଏବଂ ଜରୁରୀକାଳୀନ ସେବା ତୁରନ୍ତ କାର୍ଯ୍ୟ କରୁଥିବେ।’
