ପାଟନା: ମୋକାମା ବିଧାୟକ ଅନନ୍ତ ସିଂହଙ୍କୁ ଜନତା ଦଳ (ୟୁନାଇଟେଡ୍) (ଜେଡିୟୁ) ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି। ଏହା ବ୍ୟତୀତ, ନିକଟରେ ଶେଷ ହୋଇଥିବା ବିହାର ବିଧାନ ପରିଷଦ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିଥିବା ଅଭିଯୋଗରେ, ତାଙ୍କର ବିଧାୟକ ପଦ ରଦ୍ଦ କରିବା ପାଇଁ ମଧ୍ୟ ଜେଡିୟୁ ସୁପାରିଶ କରିଛି। ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ଅନନ୍ତ ସିଂହଙ୍କ ବିଧାୟକ ପଦ ସମାପ୍ତ କରିବାକୁ ଦଳ ପକ୍ଷରୁ ବିହାର ବିଧାନସଭା ବାଚସ୍ପତିଙ୍କ ନିକଟରେ ସୁପାରିଶ କରାଯାଇଛି। ଅନନ୍ତ ସିଂହଙ୍କ ପତ୍ନୀ ନୀଲମ ଦେବୀଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦଳରୁ ବହିଷ୍କାର କରାଯାଇଛି। “ଏକ୍ସ’ (ଟ୍ୱିଟର) ରେ ଏକ ପୋଷ୍ଟ ମାଧ୍ୟମରେ ଦଳ କହିଛି, “ଜେଡିୟୁ ରାଜ୍ୟ ସଭାପତି ଉମେଶ ସିଂହ କୁଶୱାହାଙ୍କ ନିର୍ଦ୍ଦେଶ ଅନୁଯାୟୀ, ମୋକାମା ବିଧାୟକ ଅନନ୍ତ କୁମାର ସିଂହ ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ଦଳୀୟ ନିୟମାବଳୀ ଉଲ୍ଲଂଘନ କରିଛନ୍ତି। ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିବା ଏବଂ ନିକଟରେ ଶେଷ ହୋଇଥିବା ବିଧାନ ପରିଷଦ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ତଥା ବିରୋଧୀ ଦଳ ସପକ୍ଷରେ ପ୍ରଚାର କରିଥିବାରୁ, ତାଙ୍କର ଜେଡିୟୁ ପ୍ରାଥମିକ ସଦସ୍ୟତା ରଦ୍ଦ କରାଯାଉଛି।’ “ଏହା ବ୍ୟତୀତ, ପୂର୍ବତନ ବିଧାନସଭା ସଦସ୍ୟା ନୀଲମ ଦେବୀଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା କାରଣରୁ ଦଳରୁ ବହିଷ୍କାର କରାଯାଇଛି ଏବଂ ତାଙ୍କର ପ୍ରାଥମିକ ସଦସ୍ୟତା ରଦ୍ଦ କରାଯାଇଛି। ଏହି ନିର୍ଦ୍ଦେଶ ତୁରନ୍ତ ଲାଗୁ ହେବ।’
