ପୁରୀ: ପୁରୀ ସହର ଓ ସଦରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ଦାବିରେ ଚାଲିଥିବା ଅହିଂସାତ୍ମକ ଜନଜାଗରଣ ପଦଯାତ୍ରା ଆଜି ୨୦୬ ଦିନରେ ପହଞ୍ଚିଛି। ଦୀର୍ଘ ଦିନ ଧରି ନିରନ୍ତର ଜାରି ରହିଥିବା ଏହି ନୀରବ ସତ୍ୟାଗ୍ରହ ପୁରୀବାସୀଙ୍କ ଧାର୍ମିକ ଭାବନା, ଆତ୍ମସମ୍ମାନ ଓ ନ୍ୟାୟସଙ୍ଗତ ଅଧିକାର ପ୍ରତି ଅତୁଟ ନିଷ୍ଠାର ପ୍ରତୀକ ପାଲଟିଛି। ଉତ୍କଳ ଦିବସ ଅବସରରେ ଏପ୍ରିଲ ୧ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏବଂ ଏପ୍ରିଲ ୨ ତାରିଖରେ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ଜନଜାଗରଣ ଅଭିଯାନ ଆଜି ମଧ୍ୟ ନିଜର ଲକ୍ଷ୍ୟ ପଥରେ ଆଗେଇ ଚାଲିଛି। ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଦାବି ଜଣାଇ ଆସୁଛନ୍ତି ପଦଯାତ୍ରୀମାନେ।ଏହି ଆନ୍ଦୋଳନ କାହାରି ବିରୋଧରେ ନୁହେଁ; ବରଂ ମହାପ୍ରଭୁଙ୍କ ସର୍ବଜନୀନ ଭକ୍ତିଭାବ, ଜଗନ୍ନାଥ ସଂସ୍କୃତିର ମାନବିକତା, ସମାନତା ଓ ସହାନୁଭୂତିର ମହାନ ଆଦର୍ଶକୁ ସମ୍ମାନ ଦେବା ସହ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଏକ ଶାନ୍ତିପୂର୍ଣ୍ଣ ଜନଉଦ୍ୟମ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହର ଓ ସଦରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନର ସୁବିଧା ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ଅହିଂସାତ୍ମକ ସତ୍ୟାଗ୍ରହ ଅବ୍ୟାହତ ରହିବ। ସତ୍ୟ, ଶାନ୍ତି ଓ ଅହିଂସାର ପଥରେ ଚାଲି ନିଜର ନ୍ୟାୟସଙ୍ଗତ ଦାବି ହାସଲ ପାଇଁ ପଦଯାତ୍ରୀମାନେ ଦୃଢ଼ ସଂକଳ୍ପବଦ୍ଧ।ଶୁକ୍ରବାର ଏହି ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, କିଶୋର ଚନ୍ଦ୍ର ଦାସ, ସନ୍ଧ୍ୟାରାଣୀ ମିଶ୍ର, ଅଞ୍ଜୁବାଳା ମହାନ୍ତି, ସୀତା ନାୟକ, ଶୁଭଶ୍ରୀ ଦାସ, ମମତା ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ରଣସିଂହ, ବରୁଣ ମହାପାତ୍ର, ଲିଙ୍ଗରାଜ ସାହୁ, ଭୋଳା ଓ ମାନସ ପଟ୍ଟନାୟକଙ୍କ ସମେତ ଅନ୍ୟ ପଦଯାତ୍ରୀମାନେ ଯୋଗଦେଇ ଏହି ଜନଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇଥିଲେ।
