ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଭାରତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏବଂ ମନୀଷା ରାମଦାସଙ୍କୁ ଏସୀୟ ପାରା ଗେମ୍ସ-୨୦୨୬ରେ ମିଶ୍ରିତ ଯୁଗଳ SL3-SU5 ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ରାଷ୍ଟ୍ରପତି ଉଭୟଙ୍କ ଦଳଗତ ପ୍ରୟାସ ଏବଂ ନିଷ୍ଠାର ପ୍ରଶଂସା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟେକ ପଦକ ପଛରେ ଲୋକଲୋଚନ ଠାରୁ ଦୂରରେ ରହି କରାଯାଇଥିବା ଦୀର୍ଘ ଘଣ୍ଟାର କଠିନ ପ୍ରସ୍ତୁତି ରହିଥାଏ। ସେ ଲେଖିଛନ୍ତି, ଏସୀୟ ପାରା ଗେମ୍ସ ୨୦୨୬ରେ ବ୍ୟାଡମିଣ୍ଟନ ମିଶ୍ରିତ ଯୁଗଳ ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରମୋଦ ଭଗତ ଏବଂ ମନୀଷା ରାମଦାସଙ୍କୁ ଅଭିନନ୍ଦନ। ସେମାନେ କୋର୍ଟରେ ଚମତ୍କାର ଦଳଗତ ପ୍ରଦର୍ଶନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର ଏହି ସଫଳତା ଖେଳ ପ୍ରତି ଥିବା ସେମାନଙ୍କର ନିଷ୍ଠାକୁ ଦର୍ଶାଉଛି ଏବଂ ସେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଏସୀୟ ପାରା ଗେମ୍ସର ପଞ୍ଚମ ସଂସ୍କରଣ ଜାପାନର ଆଇଚି-ନାଗୋୟା ଠାରେ ଅକ୍ଟୋବର ୧୮ ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି ମହାଦେଶୀୟ କ୍ରୀଡ଼ା ଇଭେଣ୍ଟରେ ପାରା-ଖେଳାଳିମାନେ ୧୮ଟି ବିଭିନ୍ନ କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭଗତ ଏବଂ ରାମଦାସ ମିଶ୍ରିତ ଯୁଗଳ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅକ୍ଟୋବର ୨୨ ତାରିଖରେ ଇଣ୍ଡୋନେସିଆର ଲିଆନି ରାତ୍ରି ଓକ୍ଟିଲା ଏବଂ ହିକମତ ରମଦାନିଙ୍କ ବିପକ୍ଷରେ ପରାଜିତ ହେବା ପୂର୍ବରୁ, ଏହି ଯୋଡ଼ି ସେମିଫାଇନାଲ୍ରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରମୋଦ ଭଗତ ଏବଂ ମନୀଷା ରାମଦାସଙ୍କୁ ସେମାନଙ୍କ ପ୍ରଶଂସନୀୟ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେମାନେ ଏସୀୟ ପାରା ଗେମ୍ସ ୨୦୨୬ର ମିଶ୍ରିତ ଯୁଗଳ SL3-SU5 ପାରା ବ୍ୟାଡମିଣ୍ଟନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ଦଳଗତ ସମନ୍ୱୟ, ଦୃଢ଼ ସଂକଳ୍ପ ଏବଂ ପ୍ରତିଯୋଗିତାମୂଳକ ମନୋଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ସେ ଏହି ପ୍ରତିଭାବାନ ଯୋଡ଼ିଙ୍କ ପ୍ରଦର୍ଶନର ପ୍ରଶଂସା କରିବା ସହ ସେମାନଙ୍କ ଭବିଷ୍ୟତ ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। “ଏକ୍ସ’ ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି- “ପ୍ରମୋଦ ଭଗତ ଏବଂ ମନୀଷା ରାମଦାସଙ୍କ ଏକ ପ୍ରଶଂସନୀୟ ପ୍ରୟାସ! ଏହି ପ୍ରତିଭାବାନ ଯୋଡ଼ି ଏସୀୟ ପାରା ଗେମ୍ସ ୨୦୨୬ର ମିଶ୍ରିତ ଯୁଗଳ SL3-SU5 ପାରା ବ୍ୟାଡମିଣ୍ଟନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
