ବାରିପଦା /କରଞ୍ଜିଆ: କରଞ୍ଜିଆ ବନଖଣ୍ଡର ୮ଟି ସ୍ଥାନରେ ବର୍ତ୍ତମାନ ୫୫ଟି ହାତୀଙ୍କ ଆତଙ୍କ ଜାରି ରହିଛି। ଏଥିରେ ୩୦ଟି ଝାଡ଼ଖଣ୍ଡୀ ହାତୀ ଓ ୨୫ଟି ଶିମିଳିପାଳ ହାତୀ ରହିଥିବା ବେଳେ, ସେମାନଙ୍କ ଉପଦ୍ରବ ଯୋଗୁଁ କରଞ୍ଜିଆ, ଶୁକୃଳି ଓ ରରୁଆଁ ବ୍ଲକର ଅନେକ ଗାଁରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ୩୦ଟିକିଆ ଝାଡ଼ଖଣ୍ଡୀ ହାତୀପଲ କରଞ୍ଜିଆ ବନଖଣ୍ଡ ଛାଡ଼ି କେନ୍ଦୁଝର ବନଖଣ୍ଡର ଚମ୍ପୁଆ ସେକ୍ସନ ଦିଗକୁ ଯାଇଥିଲେ ମଧ୍ୟ, ଭୋର ସମୟରେ ପୁଣି ବୈତରଣୀ ନଦୀ ଅତିକ୍ରମ କରି କରଞ୍ଜିଆ ବନଖଣ୍ଡକୁ ଫେରି ଆସିଥିଲେ। ଫଳରେ ସ୍ଥାନୀୟ ଲୋକମାନେ ଶାନ୍ତିରେ ନିଶ୍ୱାସ ନେଇପାରୁ ନାହାନ୍ତି।
ବର୍ତ୍ତମାନ ସିଙ୍ଗଡ଼ା ସେକ୍ସନର ସାରଙ୍ଗଗଡ ସଂରକ୍ଷିତ ଜଙ୍ଗଲରେ ୨୫ଟି ଓ ରରୁଆଁ ସେକ୍ସନର ଦେଓଢିପା ସଂରକ୍ଷିତ ଜଙ୍ଗଲରେ ୫ଟି ଝାଡ଼ଖଣ୍ଡୀ ହାତୀ ଅବସ୍ଥାନ କରିଛନ୍ତି। ଏହି ହାତୀପଲ ଆମ୍ବ ଓ ପଣସ ବଗିଚାରେ ପଶି ପାଚିଲା ଫଳ ଖାଇ ନଷ୍ଟ କରୁଛନ୍ତି। ଭୋର ସମୟରେ ୨୫ଟିକିଆ ହାତୀପଲ ସିଙ୍ଗଡ଼ା ସେକ୍ସନର ସୁନାପଶି ଗାଁରେ ପଶି ଉତ୍ପାତ କରିଥିଲେ। ହାତୀମାନେ ଗାଁରେ ଥିବା ଆମ୍ବ ଗଛରୁ ପାଚିଲା ଆମ୍ବ ଖାଇବା ସହ ପ୍ରତାପ କେରାଇଙ୍କ ଘରର ବିଭିନ୍ନ ସ୍ଥାନର କାନ୍ଥ ଭାଙ୍ଗି ଘରେ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଦେଇଥିବା ଜଣାପଡ଼ିଛି।ବନ ବିଭାଗ ସୂଚନା ଅନୁସାରେ ବର୍ତ୍ତମାନ ସାତକୋଶିଆ ସଂରକ୍ଷିତ ଜଙ୍ଗଲ କଣ୍ଟେନମେଣ୍ଟ ନଂ–୯ରେ ୪ଟି, ସାତକୋଶିଆ ସଂରକ୍ଷିତ ଜଙ୍ଗଲରେ ୩ଟି, ହଳଦୀଆପଶି କାଜୁ ବଗିଚାରେ ୩ଟି, ବାଦାମପାହାଡ ସଂରକ୍ଷିତ ଜଙ୍ଗଲରେ ୮ଟି, ଖେଜୁରୀଆ ସଂରକ୍ଷିତ ଜଙ୍ଗଲରେ ୨ଟି ଦନ୍ତା, ଦେଓଢିପା ସଂରକ୍ଷିତ ଜଙ୍ଗଲରେ ୫ଟି, ସାରଙ୍ଗଗଡ ସଂରକ୍ଷିତ ଜଙ୍ଗଲରେ ୨୫ଟି ଏବଂ ପାଉଦିଆ ସଂରକ୍ଷିତ ଜଙ୍ଗଲରେ ୫ଟି ହାତୀ ରହିଛନ୍ତି।
ଆମ୍ବ ଓ ପଣସ ପାଚିବା ସମୟରେ ପ୍ରତିବର୍ଷ ଏହି ଅଞ୍ଚଳକୁ ବହୁ ସଂଖ୍ୟକ ହାତୀ ଆସୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ସେମାନଙ୍କ ଉପଦ୍ରବ ବଢ଼ିଥିବା ଦେଖାଯାଇଛି। ଫଳରେ ଅଞ୍ଚଳବାସୀ ରାତି ସାରା ମଶାଲ ଧରି ନିଜ ଘର ଓ ବଗିଚାକୁ ଜଗି ରହୁଛନ୍ତି। ବନ ବିଭାଗ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ନଜର ରଖୁଥିବା ସତ୍ତ୍ୱେ, ହାତୀ ଉପଦ୍ରବ ନିୟନ୍ତ୍ରଣରେ ବିଫଳ ହେଉଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
