ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାଦମପାହାଡ଼କୁ ପୁରୀ ସହ ସଂଯୋଗ କରୁଥିବା ଏକ ଏକ୍ସପ୍ରେସ ଟ୍ରେନ୍କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବିକୁ ସମ୍ମାନ ଜଣାଇ ରେଳ ବୋର୍ଡ ପକ୍ଷରୁ “ପୁରୀ-ବଡ଼ାମପାହାଡ଼ ଏକ୍ସପ୍ରେସ’ ଚଳାଚଳ ପାଇଁ ଅନୁମୋଦନ ମିଳିଛି। ଏହି ଏକ୍ସପ୍ରେସ ଟ୍ରେନ୍ଟି ୯ଟି ଏଲଏଚବି କୋଚ୍ ବିଶିଷ୍ଟ ହେବ ଏବଂ ପ୍ରତିଦିନ ଚଳାଚଳ କରିବ। ଏହା ରାୟରଙ୍ଗପୁର, କେନ୍ଦୁଝର, ସୁକିନ୍ଦା ଏବଂ ଭୁବନେଶ୍ୱର ସମେତ ମୋଟ ୧୯ଟି ଷ୍ଟେସନରେ ରହିବ ବୋଲି ସୂଚନା ମିଳିଛି। ଏହି ନୂତନ ରେଳ ସେବା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ—ଏହି ୬ଟି ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହା ରାଜ୍ୟବାସୀଙ୍କ ପାଇଁ ଅଧିକ ସୁବିଧା ଏବଂ ନୂତନ ସୁଯୋଗ ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୁରୀ ଓ ବଡ଼ାମପାହାଡ଼ ମଧ୍ୟରେ ଏକ୍ସପ୍ରେସ ଟ୍ରେନ୍କୁ ମଞ୍ଜୁରୀ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “କେନ୍ଦୁଝର, ସୁକିନ୍ଦା, କଟକ ଏବଂ ଭୁବନେଶ୍ୱର ଦେଇ ଯିବାକୁ ଥିବା ପୁରୀ-ରାୟରଙ୍ଗପୁର-ବଡ଼ାମପାହାଡ଼ ଏକ୍ସପ୍ରେସ”କୁ ମଞ୍ଜୁରୀ ଦେଇ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।
