ପୁରୀ: ଆଜି ଦେଶବ୍ୟାପୀ ମେଡିସିନ ଦୋକାନ ବନ୍ଦ ରହିଛି । ଅଚଳ ହୋଇଚି ସ୍ୱାସ୍ଥ୍ୟ ସେବା, ଚିନ୍ତାରେ ରୋଗୀ ଓ ସମ୍ପର୍କୀୟ । ବିଭିନ୍ନ ଦାବିକୁ ନେଇ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ପକ୍ଷରୁ ଏହି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶାରେ ମଧ୍ୟ ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଫଳରେ ରାଜ୍ୟର କୋଣ-ଅନୁକୋଣରେ ଔଷଧ ଦୋକାନ ଗୁଡ଼ିକ ସକାଳୁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଫଳରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେବା ସହ ସାଧାରଣ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶାରେ ପ୍ରାୟ ୩୦ ହଜାର ଔଷଧ ଖୁଚୁରା ଓ ପାଇକାରୀ ମେଡ଼ିସିନ ଦୋକାନ ରହିଛି । ସକାଳୁ ସମସ୍ତ ଔଷଧ ଦୋକାନଗୁଡ଼ିକର ସଟର ପଡ଼ିଛି । ସେପଟେ ବନ୍ଦ ସମୟରେ ଜରୁରୀ ଔଷଧ ଯୋଗାଣ ଯେମିତି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରସ୍ତୁତ ରହିବାକୁ ଡ୍ରଗ୍ସ କଂଟ୍ରୋଲ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ୍ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବନ୍ଦ ଡାକରା କାହିଁକି ଦିଆ ଯାଇଛି ତାହା ଉପରେ ଆଲୋଚନା କରିବା ।କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ନୀତି ବିରୋଧରେ ଏହି ଆନ୍ଦୋଳନ-ଅନଲାଇନରେ ଔଷଧ ବିକ୍ରି -ପ୍ରକ୍ରିୟାକୁ ବ୍ୟବସାୟୀ ସଂଘ ଦୃଢ଼ ଭାବରେ ବିରୋଧ କରୁଛି-ଅନଲାଇନ୍ ଔଷଧ ବିକ୍ରି ଯୋଗୁଁ ସ୍ଥାନୀୟ ଛୋଟ ବ୍ୟବସାୟୀମାନେ ବହୁତ ପ୍ରଭାବିତ ହେଉଛନ୍ତି-ଏହି ବ୍ୟବସ୍ଥା ଦ୍ୱାରା ଖୁଚୁରା ଔଷଧ ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଛି-ମେଡ଼ିସିନ ବ୍ୟବସାୟକୁ ବଡ଼ ବଡ଼ କର୍ପୋରେଟ୍ କମ୍ପାନୀଗୁଡ଼ିକ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚେଷ୍ଟା କରୁଛନ୍ତି-ଔଷଧ ଉପରେ ବ୍ୟବସାୟୀମାନଙ୍କୁ ମିଳୁଥିବା ଲାଭାଂଶ ବା ମାର୍ଜିନକୁ କମାଇ ଦିଆଯାଇଛି-ମାର୍ଜିନ କମାଇବା ନିଷ୍ପତ୍ତିକୁ ଔଷଧ ବ୍ୟବସାୟୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି-ଔଷଧ ବିକ୍ରି ଏବଂ ଏହାର ଲାଇସେନ୍ସ ପାଇବା ପ୍ରକ୍ରିୟାରେ ଅନେକ ଜଟିଳ ନିୟମ ରହିଛି-ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ହିଁ ଏହି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।ତେଣୁ ଏହାର ପ୍ରଭାବ ମଧ୍ୟ ପୁରୀ ସହରରେ ପଡ଼ିଛି ।ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।ଲୋକମାନେ ଅନେକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
