ଗ୍ୱାଲିୟର : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଦିନ ୮ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଗ୍ୱାଲିୟର ସିଟିର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସଙ୍କୁ ତାଙ୍କ ପଦବୀରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୀତଳା ମାତା ମନ୍ଦିର ବାହାରେ ଏକ ଟ୍ରକ୍ ଦୁର୍ଘଟଣାରେ ୧୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ପରେ ଏହି ପଦକ୍ଷେପ ନିଆଯାଇଛି। ସେ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଆହତମାନଙ୍କ ପାଇଁ ଆର୍ôଥକ ସହାୟତା ଘୋଷଣା କରିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ଗ୍ୱାଲିୟର ଜିଲ୍ଲାରେ ଥିବା ଏହି ମନ୍ଦିର ବାହାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଯାଇଥିଲା ଏବଂ ପରେ ମନ୍ଦିରର ପ୍ରବେଶ ଦ୍ୱାରରେ ଧକ୍କା ଦେଇଥିଲା। ଏହି ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଧକ୍କା ଯୋଗୁଁ ମନ୍ଦିରର ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ଲୋକମାନେ ଭଙ୍ଗା କାନ୍ଥ ଓ ମାଟି ତଳେ ଚାପି ହୋଇଯାଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଦୁର୍ଘଟଣା ରାତି ପ୍ରାୟ ୧ଟା ୩୦ ମିନି ସମୟରେ ଚିନୋର ରୋଡ୍?ରେ ଥିବା ଏକ ଢାଲୁ ରାସ୍ତା ନିକଟରେ ଘଟିଥିଲା। ପଞ୍ଜାବ ପଞ୍ଜୀକରଣ ନମ୍ବର ଥିବା ଏହି ଟ୍ରକ୍?ଟି ଏକ “ନୋ-ଏଣ୍ଟ୍ରି’ ଅଞ୍ଚଳରେ ପ୍ରବେଶ କରିଥିଲା, ଯାହା ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇନ୍ଦୋରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ଯାଦବ କହିଛନ୍ତି, “ଟ୍ରକ୍ଟି ଏକ ନିଷିଦ୍ଧ ଅଞ୍ଚଳରେ ପ୍ରବେଶ କରିଥିବାରୁ ଏହି ଦୁର୍ଘଟଣା ଘଟିଛି।’ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁତର ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ କରାଯିବ। ମୃତକ ଓ ଆହତମାନଙ୍କୁ ଗ୍ୱାଲିୟରର ଟ୍ରମା ସେଣ୍ଟର ସମେତ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଥିଲା। ଟ୍ରମା ସେଣ୍ଟରରେ ଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ନିକଟରେ ପୀଡ଼ିତଙ୍କ ସମ୍ପର୍କୀୟମାନେ ଏକତ୍ରିତ ହୋଇ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଅନେକେ ପ୍ରଶ୍ନ ଉଠାଇଥିଲେ ଯେ, ଯେଉଁ ସ୍ଥାନ ଦେଇ ଗୋଟିଏ ସାଇକେଲ ମଧ୍ୟ ଯାଇପାରିବ ନାହିଁ ବୋଲି ସେମାନେ ଦାବି କରିଛନ୍ତି, ସେଠାକୁ ଏକ ବଡ଼ ଟ୍ରକ୍ କିପରି ପ୍ରବେଶ କଲା।
