ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ୍.କେ. ଆଡଭାନୀଙ୍କୁ ଭେଟିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଛାତିରେ ସଂକ୍ରମଣ ଦେଖାଦେବା ପରେ ୯୮ ବର୍ଷୀୟ ଏହି ନେତାଙ୍କୁ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ହସ୍ପିଟାଲର ଫୁସ୍ଫୁସ୍ ସମ୍ବନ୍ଧୀୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରମାନେ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା କରୁଥିବା ବେଳେ ସେ ଡାକ୍ତରୀ ତତ୍ତ୍ୱାବଧାନରେ ଅଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ବିଜେପିର ଏହି ବରିଷ୍ଠ ନେତାଙ୍କୁ ଗତ କିଛି ବର୍ଷ ମଧ୍ୟରେ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ଏହା ପୂର୍ବରୁ, ଚଳିତ ବର୍ଷ ମେ’ ମାସରେ ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କିଛି ଦିନ ଚିକିତ୍ସା ପରେ ସେ ଡାକ୍ତରଖାନାରୁ ଘରକୁ ଫେରିଥିଲେ। ଡିସେମ୍ବର ୨୦୨୪ରେ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ପାଇଁ ଆଡଭାନୀଙ୍କୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଜଣେ ସ୍ନାୟୁରୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଇଥିଲେ। ୧୯୨୭ ମସିହା ନଭେମ୍ବର ୮ ତାରିଖରେ ବର୍ତ୍ତମାନର ପାକିସ୍ତାନ ଅନ୍ତର୍ଗତ କରାଚିରେ ଜନ୍ମିତ ଆଡଭାନୀ, ବିଜେପିର ଅନ୍ୟତମ ପ୍ରମୁଖ ସଂସ୍ଥାପକ ନେତା ଅଟନ୍ତି। ଦଳକୁ ଏକ ପ୍ରମୁଖ ଜାତୀୟ ରାଜନୈତିକ ଶକ୍ତିରେ ପରିଣତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସାର୍ବଜନୀନ ଜୀବନରେ ତାଙ୍କର ଅବଦାନକୁ ସ୍ୱୀକୃତି ସ୍ୱରୂପ ୨୦୨୪ ମସିହାରେ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ “ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ, ୨୦୧୫ ମସିହାରେ ତାଙ୍କୁ “ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭାରତୀୟ ଜନତା ପାର୍ଟିର ରାଜନୈତିକ ଇତିହାସରେ ଆଡଭାନୀ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବରେ ବିବେଚିତ ହୁଅନ୍ତି।
