ବାରିପଦା; ମୟୂରଭଞ୍ଜ ଜିଲ୍ଲା,ତିରିଂ ବ୍ଲକ ଅନ୍ତର୍ଗତ ନାରାୟଣପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୁଇ ଶିକ୍ଷକ ମାଙ୍ଗାତ ହେମ୍ବ୍ରମ ଓ ଅନୀତା ଦାସଙ୍କ ବଦଳିକୁ ବିରୋଧ କରି ଅଭିଭାବକ ଓ ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ବିଦ୍ୟାଳୟରେ ୪୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଢ଼ୁଥିବାରୁ ଏକାସାଙ୍ଗରେ ଦୁଇ ଶିକ୍ଷକଙ୍କ ବଦଳି ହେଲେ ପାଠପଢ଼ା ବାଧାପ୍ରାପ୍ତ ହେବ ବୋଲି ଅଭିଭାବକ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବଦଳି ଆଦେଶ ସ୍ଥଗିତ ରଖିବାକୁ ଦାବି କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ରଖିବାକୁ ଚେତାବନୀ ଦେଇ ଅଭିଭାବକ ମନେ ପ୍ରତିବାଦ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଖବର ପାଇ ତିରିଂର ଭାରପ୍ରାପ୍ତ ବିଇଓ ରିଷିପ୍ରଭା ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ସରକାରୀ ନିୟମ ଯୋଗୁଁ ବଦଳି ବାତିଲ କରିବା ସମ୍ଭବ ନୁହେଁ ବୋଲି କହିବା ସହ ଏକ ମାସ ମଧ୍ୟରେ ଅନ୍ୟ ବିଦ୍ୟାଳୟରେ ଅଧିକ ଶିକ୍ଷକ ଥିଲେ ଏଠାକୁ ଫେରାଇ ଆଣିବା ଏବଂ ନୂତନ ନିଯୁକ୍ତି ହେଲେ ଏହି ସ୍କୁଲକୁ ପ୍ରାଥମିକତା ଦେବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଇଓଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ପ୍ରତିବାଦରୁ ଓହରିଥିଲେ ଏବଂ ବିଦ୍ୟାଳୟରେ ପାଠପଢ଼ା ସ୍ୱାଭାବିକ ହୋଇଥିଲା। ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ପରେଶ ଚନ୍ଦ୍ର ମୁଣ୍ଡାଙ୍କ ସମେତ କାଳୀଚରଣ ମାରାଣ୍ଡି, ରାମହରି ସର୍ଦ୍ଦାର, ମାନସିଂହ ହେମ୍ବ୍ରମ, ବସନ୍ତ କୁମାର ସର୍ଦ୍ଦାର, ଜଗେଶ୍ୱର ବେଶ୍ରା, ପ୍ରଦୀପ କୁମାର ଟୁଡୁ, ଦୀନା ହେମ୍ବ୍ରମ, ସୁକାନ୍ତ ସିଂ, ବୈଦ୍ୟନାଥ ମାରାଣ୍ଡି, ମିନତୀ ମୁଣ୍ଡା, ଖୁଦିରାମ ବେଶ୍ରା, କାର୍ତ୍ତିକ ବେଶ୍ରା, ରଘୁନାଥ ହେମ୍ବ୍ରମ, କରନ ହେମ୍ବ୍ରମ, ଅମିତା ମାରାଣ୍ଡି, ଦୁଲାଲ ବାସ୍କେ, ଜୟନ୍ତୀ ଟୁଡୁ, ଲକ୍ଷ୍ମଣ ମାରାଣ୍ଡି ପ୍ରମୁଖ ବହୁ ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
