ବାରିପଦା; ଆସନ୍ତା ୩୧ ଅକ୍ଟୋବରରେ ପାଳନ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ଉତ୍ସବ ନିମନ୍ତେ ବାରିପଦା ରିଜର୍ଭ ପୋଲିସ ପଡ଼ିଆ ଠାରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ ଗୋଚ୍ଛାୟତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୌତମ କିଷାନ, ରିଜର୍ଭ ଇନ୍ସପେକ୍ଟର ଆଲୋକ କୁମାର କାନୁନଗୋ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁନମୁନ ଗିରି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ଯୋଗଦେଇ ପ୍ରତିନିଧି ଦଳକୁ ଶୁଭକାମନା ଜଣାଇବା ସହ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସୂଚନା ମୁତାବକ ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସର ମୁଖ୍ୟ ବିଷୟବସ୍ତୁ ହେଉଛି ନକ୍ସଲ-ମୁକ୍ତ ଭାରତ ଏବଂ ଦେଶର ସଶସ୍ତ୍ର ବାହିନୀର ବିଜୟ ଗାଥା ପାଳନ କରିବା। ଆଜି ରିଜର୍ଭ ପୋଲିସ ପଡିଆ ନିକଟରୁ ସ୍ୱତନ୍ତ୍ର ବସ ଯୋଗେ ୫୧ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ଆଜି ରାତିରେ ସେମାନେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ରାତ୍ରିଯାପନ କରିବେ । ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଗୁଜୁରାଟର ଏକତା ନଗର ଅଭିମୁଖେ ଯାତ୍ରା କରିବେ । ଗୁଜୁରାଟର ଏକତା ନଗରଠାରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ମୋରଡା ବ୍ଲକ ଏବିଡିଓ ସୁଶାନ୍ତ କୁମାର ରାଉଳ ଏବଂ କୁଳିଆଣ ଏଏସ୍ଆଇ ଉପେନ୍ଦ୍ର କୁମାର ଗୋଛାୟତ ନୋଡାଲ ଅଫିସର ଭାବରେ ଭ୍ରମଣକାରୀ ଦଳଙ୍କ ସହ ଯାତ୍ରା କରିଛନ୍ତ ।
