ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରା କରିବାକୁ ଯାଉଥିବା ବେଳେ ଅଟକାଯିବା ପରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆକାଶବାଣୀ ଭବନ ପରିସର ଭିତରେ ୮ ଘଣ୍ଟାରୁ ଅଧିକ ସମୟ ଧରି ଧାରଣା ଦେଇଥିଲେ। ଏହା ପରେ ମଙ୍ଗଳବାର ରାତିରେ ଦିଲ୍ଲୀ ପୋଲିସ ସେମାନଙ୍କ ସମେତ ପ୍ରାୟ ୨୫୦ ଜଣଙ୍କୁ ଅଟକ ରଖିଥିଲା।

ପୋଲିସ ସୂତ୍ର ଅନୁଯାୟୀ, ଅଟକ ରଖାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ ୫୦ ଜଣ ସାଂସଦ ସାମିଲ ଥିଲେ। ଅଟକ ରଖାଯାଇଥିବା ବ୍ୟକ୍ତିମାନଙ୍କୁ କିଙ୍ଗସ୍ୱେ କ୍ୟାମ୍ପ୍ସ୍ଥିତ “ନୂଆ ପୋଲିସ ଲାଇନ୍ସ’କୁ ନିଆଯାଉଥିଲା। ଆକାଶବାଣୀ ପରିସରରୁ ବିକ୍ଷୋଭକାରୀ ସାଂସଦମାନଙ୍କୁ ହଟାଇବା ସମୟରେ ପୋଲିସ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ସାଂସଦ ଓ ନେତା ଯଥା କେ.ସି. ଭେନୁଗୋପାଳ, ପୱନ ଖେଡ଼ା, କେ. ସୁରେଶ, ଅମରିନ୍ଦର ସିଂହ ରାଜା ୱାରିଙ୍ଗ୍ ଏବଂ ଇମ୍ରାନ ପ୍ରତାପଗଡ଼ିଙ୍କୁ ଜବରଦସ୍ତ ସେଠାରୁ ହଟାଇ ଦେଇଥିଲା। ପୂର୍ବରୁ ଗାନ୍ଧୀ ସଂସଦ ମାର୍ଗ ସ୍ଥିତ ଆକାଶବାଣୀ ପରିସରରେ ପ୍ରବେଶ କରି ଧାରଣା ଆରମ୍ଭ କରିଥିଲେ। ପ୍ରାୟ ୩୦୦ ମିଟର ଦୂରରେ ଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରା କରିବା ପାଇଁ ବିରୋଧୀ ଦଳର ସାଂସଦମାନଙ୍କ ପ୍ରୟାସକୁ ପୋଲିସ ରୋକିବା ପରେ ସେ ଏହି ପଦକ୍ଷେପ ନେଇଥିଲେ। ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ତଥା ଘନିଷ୍ଠ ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ପରିପ୍ରେକ୍ଷୀରେ “ଭୋଟ୍ ଚୋରି’ ଅଭିଯୋଗ ଆଣି ବିରୋଧୀ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ପୋଲିସ ପରିସର ଖାଲି କରିବା ଏବଂ ବିକ୍ଷୋଭକାରୀଙ୍କୁ ଅଟକ ରଖିବା ଆରମ୍ଭ କରିବା ପୂର୍ବରୁ ଏହି ଧାରଣା ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା।
