ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର “ଅବୈଧ ଓ ଏକପାଖିଆ’ ଭାବେ ଫର୍ମ-୬ରେ ପରିବର୍ତ୍ତନ କରିଥିଲେ। ସେ କହିଛନ୍ତି ଯେ ଯେଉଁମାନେ ଏହି ଗଣତନ୍ତ୍ର ଉପରେ ଆକ୍ରମଣ ପାଇଁ ଦାୟୀ, ସେମାନଙ୍କୁ ଉତ୍ତରଦାୟୀ କରାଯିବ। ନିର୍ବାଚନ ତାଲିକାର ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ (ଏସଆଇଆର) ସମୟରେ ନିର୍ବାଚନ ଆୟୋଗ ଦ୍ୱାରା ବ୍ୟବହୃତ ଫର୍ମ-୬ରେ କୌଣସି ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଅନୁମୋଦନ କରିନାହାନ୍ତି ବୋଲି ସ୍ପଷ୍ଟ କରିବା ପରେ ଗାନ୍ଧୀ ଏହି ମନ୍ତବ୍ୟ ଦେଇଛନ୍ତି। ଏହା ବର୍ତ୍ତମାନ ନିଃସନ୍ଦେହ ଭାବେ ପ୍ରମାଣିତ ହୋଇଛି ଯେ ଜ୍ଞାନେଶ କୁମାର ଅବୈଧ ଓ ଏକପାଖିଆ ଭାବେ ଫର୍ମ-୬ରେ ପରିବର୍ତ୍ତନ କରିଥିଲେ। ବିଜେପିକୁ ସାହାଯ୍ୟ କରିବା ପାଇଁ ନିଜ ପଦବୀର ଅପବ୍ୟବହାର କରିବାର ଏହା ଆଉ ଏକ ପ୍ରମାଣ ବୋଲି ଗାନ୍ଧୀ “ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି। ଯୋଗ୍ୟ ନାଗରିକମାନେ ନିର୍ବାଚନ ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ କରିବାକୁ ଫର୍ମ-୬ ବ୍ୟବହାର କରନ୍ତି। ଗାନ୍ଧୀ ସେପ୍ଟେମ୍ବର ୨୬ ତାରିଖର ନିର୍ବାଚନ ଆୟୋଗଙ୍କ ଏକ ବିବୃତ୍ତିର ସ୍କ୍ରିନ୍ସଟ୍ ମଧ୍ୟ ସେୟାର କରିଥିଲେ। ଏଥିରେ କୁହାଯାଇଥିଲା ଯେ ଏସଆଇଆର ପାଇଁ ଫର୍ମ-୬ ସହିତ ସଂଲଗ୍ନ ଘୋଷଣାନାମାକୁ ସୁପ୍ରିମକୋର୍ଟ “ଅକ୍ଷୁଣ୍ଣ ରଖିଛନ୍ତି’ ଏବଂ ଏସଆଇଆର ବ୍ୟତୀତ ଅନ୍ୟ ସମୟରେ “ନିର୍ବାଚକ ପଞ୍ଜୀକରଣ ନିୟମାବଳୀ, ୧୯୬୦’ ଅନୁଯାୟୀ ନିର୍ଦ୍ଧାରିତ ଫର୍ମ ବ୍ୟବହାର କରାଯିବ। କଂଗ୍ରେସର ସାଧାରଣ ସମ୍ପାଦକ (ଯୋଗାଯୋଗ ଦାୟିତ୍ୱ) ଜୟରାମ ରମେଶ ମଧ୍ୟ ଉଋଉଙ୍କୁ ଟାର୍ଗେଟ୍ କରି ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ମୁଖ୍ୟ ଫର୍ମ ପରିବର୍ତ୍ତନ ନେଇ ମିଛ କହିଥିଲେ। ଜେନ୍-ଜେଡ୍ ଭୋଟରଙ୍କୁ ହଟାଇବା ପାଇଁ ଉଋଉ ନିଜେ ଜାଣିଶୁଣି ଫର୍ମ-୬ରେ ପରିବର୍ତ୍ତନ କରିଥିଲେ, ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଭୀଷଣ ଭୟ କରନ୍ତି ବୋଲି ରମେଶ “ଏକ୍ସ’ରେ ଏକ ପୋଷ୍ଟରେ ଅଭିଯୋଗ କରିଛନ୍ତି। ନିର୍ବାଚନ ଆୟୋଗର ଅନେକ “ଫର୍ମ ୬’ ସମ୍ବନ୍ଧରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏଥିରେ କୌଣସି ପରିବର୍ତ୍ତନକୁ ସେମାନେ ଅନୁମୋଦନ କରିନାହାନ୍ତି ଏବଂ କିଏ ଏହି ପରିବର୍ତ୍ତନ କରିଛି ତାହା ଜାଣିବା ପାଇଁ ରେକର୍ଡଗୁଡ଼ିକର ଯାଞ୍ଚ କରାଯିବ ବୋଲି କହିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୧ ତାରିଖରେ ଗାନ୍ଧୀ ଅଭିଯୋଗ କରିଥିଲେ ଯେ “ଫର୍ମ ୬’ର ଅନ୍ଲାଇନ୍ ସଂସ୍କରଣରେ ବେଆଇନ ଭାବେ ପରିବର୍ତ୍ତନ କରାଯାଇଛି। ସେ ପ୍ରଶ୍ନ ଉଠାଇଥିଲେ ଯେ ନିର୍ବାଚନ ଆୟୋଗର କେଉଁ ଅଧିକାରୀ ଟାଟା କନସଲ୍ଟାନ୍ସି ସର୍ଭିସେସ୍କୁ ଏହି ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କମ୍ପାନୀର କେଉଁ ବ୍ୟକ୍ତି ଏହାକୁ ଅନୁମୋଦନ କରିଥିଲେ।
