ନୂଆଦିଲ୍ଲୀ: ଫ୍ଲାଏଦୁବାଇର ଯେଉଁ କ୍ୟାପଟେନ୍ ନିଜ ସହକର୍ମୀ ତଥା କୋ-ପାଇଲଟ୍ଙ୍କୁ ମୁକାବିଲା କରିଥିଲେ – ଯିଏ ତାଙ୍କୁ ଛୁରୀ ଭୁସିବା ସହ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିଥିଲେ ସେ ହେଉଛନ୍ତି ଭାରତୀୟ ମୂଳ ବାସିନ୍ଦା। ଏହି ବୀର କ୍ୟାପଟେନ୍ଙ୍କ ପରିଚୟ ସ୍ମିଥ୍ ମଚ୍ଛର ଭାବେ ଚିହ୍ନଟ କରାଯାଇଛି। ଦୁବାଇରୁ ତେଲ୍ ଅଭିବ୍ ଯାଉଥିବା ଫ୍ଲାଏଦୁବାଇ ବିମାନର କକ୍ପିଟ୍ରେ ଏକ ହିଂସାତ୍ମକ ଝଗଡ଼ା ପରେ, କୋ-ପାଇଲଟ୍ଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ମଚ୍ଛର ବାରମ୍ବାର ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି। ଏହି ବିମାନରେ ପ୍ରାୟ ୧୮୦ ଜଣ ଯାତ୍ରୀ ଥିଲେ। ଇସ୍ରାଏଲୀ ଗଣମାଧ୍ୟମ “ଚ୍ୟାନେଲ୍ ୧୨’ ଅନୁଯାୟୀ, ମଚ୍ଛରଙ୍କୁ “ଭାରତୀୟ ମୂଳ ବାସିନ୍ଦା’ ପାଇଲଟ୍ ଭାବେ ବର୍ଣ୍ଣନା କରାଯାଇଥିବା ବେଳେ “ୱାଇନେଟ୍’ ତାଙ୍କୁ ଜଣେ “ଭାରତୀୟ ନାଗରିକ’ ଭାବେ ଚିହ୍ନଟ କରିଛି। ତାଙ୍କ ବୃତ୍ତିଗତ ପ୍ରୋଫାଇଲ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ, ମଚ୍ଛର ହେଉଛନ୍ତି ସ୍ପାଇସ୍ଜେଟ୍ର ଜଣେ ପୂର୍ବତନ ପାଇଲଟ୍। ଜୁନ୍ ୨୦୨୨ରେ ସେ “ଡାଇରେକ୍ଟ-ଏଣ୍ଟ୍ରି କ୍ୟାପଟେନ୍’ ଭାବେ ଫ୍ଲାଏଦୁବାଇରେ ଯୋଗ ଦେଇଥିଲେ। ତାଙ୍କ ଲିଙ୍କଡ୍ଇନ୍ ପ୍ରୋଫାଇଲ୍ ଅନୁଯାୟୀ, ତାଙ୍କର ୧୩ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। “ମନି-କଣ୍ଟ୍ରୋଲ୍’ ରିପୋର୍ଟ ଅନୁଯାୟୀ, ତାଙ୍କ ପାଖରେ ବୋଇଂ ୭୩୭ ବିମାନ ଚଳାଇବାର ୯,୭୫୦ ଘଣ୍ଟାର ଅଭିଜ୍ଞତା ରହିଛି। ମଚ୍ଛର ସ୍ପାଇସ୍ଜେଟ୍ ସହିତ ୧୧ ବର୍ଷରୁ ଅଧିକ ସମୟ ବିତାଇଥିଲେ, ଯେଉଁଥିରେ ସେ ପ୍ରଥମେ “ସିନିୟର କମାଣ୍ଡର’ ଏବଂ ପରେ “ଲାଇନ୍ ଟ୍ରେନିଂ କ୍ୟାପଟେନ୍’ ଭାବେ କାର୍ଯ୍ୟ କରିଥିଲେ। ସ୍ପାଇସ୍ଜେଟ୍ରେ କାର୍ଯ୍ୟ କରିବା ସମୟରେ ମଚ୍ଛର ମୋଟ ୯,୫୦୦ ଘଣ୍ଟାରୁ ଅଧିକ ସମୟ ବିମାନ ଚାଳନା କରିଥିଲେ।
