ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ପଛରେ ଥିବା କଥିତ ବୃହତ୍ ଷଡ଼ଯନ୍ତ୍ର ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଉମର ଖାଲିଦ୍ ଓ ଶାରଜିଲ ଇମାମଙ୍କୁ ଜାମିନ୍ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ବିଚାରପତି ପ୍ରତିଭା ଏମ୍. ସିଂହ ଏବଂ ଦିନେଶ ଭଟ୍ଟଙ୍କ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଏକ ପୂର୍ବ ନିର୍ଦ୍ଦେଶର ଆଧାରରେ ଏହି ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ସୁପ୍ରିମକୋର୍ଟ ଜାନୁଆରୀ ୨୦୨୬ରେ ଖାଲିଦ୍ ଓ ଇମାମଙ୍କ ଜାମିନ୍ ଆବେଦନ ଖାରଜ କରିବା ସହ କହିଥିଲେ ଯେ ସେମାନେ ଏକ ବର୍ଷ ପରେ କିମ୍ବା ସୁରକ୍ଷିତ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯିବା ପରେ ପୁନର୍ବାର ଜାମିନ୍ ପାଇଁ ଆବେଦନ କରିପାରିବେ। କୋର୍ଟ କହିଛନ୍ତି ଯେ ଯେହେତୁ ଏହି ଦୁଇଟି ସର୍ତ୍ତ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ, ତେଣୁ “ଖାଲିଦ୍ ଓ ଇମାମଙ୍କୁ ଜାମିନ୍ ପ୍ରଦାନ କରିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ କରିବା ସହ ସମାନ ହେବ, ଯାହା ହାଇକୋର୍ଟ କରିପାରିବେ ନାହିଁ।’ ଖାଲିଦ୍ ଓ ଇମାମଙ୍କ ଜାମିନ୍ ଆବେଦନ ଖାରଜ କରି ଟ୍ରାଏଲ୍ କୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଏକ ଅପିଲ୍ ଉପରେ ଏହି ଖଣ୍ଡପୀଠ ଶୁଣାଣି କରୁଥିଲେ। ଖଣ୍ଡପୀଠ କହିଛନ୍ତି, “ଉପରୋକ୍ତ ଆଲୋଚନା ଏବଂ ଏହି ମାମଲାଗୁଡ଼ିକର ସାମଗ୍ରିକ ତଥ୍ୟ, ବିଶେଷକରି ଗୁଲଫିଶା ଫାତିମା ମାମଲାରେ ସୁପ୍ରିମକୋର୍ଟ ଲଗାଇଥିବା ସର୍ତ୍ତଗୁଡ଼ିକୁ ବିଚାରକୁ ନେଲେ, ଏହି କୋର୍ଟ ଟ୍ରାଏଲ୍ କୋର୍ଟଙ୍କ ନିର୍ଦ୍ଦେଶରେ କୌଣସି ତ୍ରୁଟି ପାଇପାରିବେ ନାହିଁ। ତେଣୁ ବର୍ତ୍ତମାନର ଅପିଲଗୁଡ଼ିକୁ ଖାରଜ କରାଯାଉଛି।
