ଦଶରଥପୁର: ଯାଜପୁର ଜିଲ୍ଲା ଅଧିନସ୍ଥ ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ପଂଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ବୁଲି ଦହିବରା ବେପାରୀ ଠାରୁ ଦହିବରା ଖାଇ ୩ ଗ୍ରାମର ୬୦ ରୁ ଊର୍ଦ୍ଧ୍ୱ ଲୋକ ଖାଦ୍ୟ ବିଷକ୍ରିୟାର ଶିକାର ହୋଇଛନ୍ତି। ଏହି ଘଟଣାରେ ଜଣେ ବିଧବା ମହିଳା ସୁନ୍ଦରୀ ଜେନା(୭୫)ଙ୍କର ମୃତ୍ୟୁ ଘଟିଛି । ପ୍ରଶାସନ ପକ୍ଷରୁ ମୃତାଙ୍କ ଶବ ସତ୍କାର ନିମନ୍ତେ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।ଘଟଣାରୁ ପ୍ରକାଶ ଯେ ଜୟନ୍ତରା ପଂଚାୟତ ଅଧୀନ ପାଟପୁର, ଚାନ୍ଦକୁଡା ଓ ଜୁନିଦା ଗ୍ରାମର ଲୋକେ ଗତକାଲି ଅପରାହ୍ନ ରେ ଗାଁରେ ବୁଲୁଥିବା ବୁଲା ଦହିବରା ବେପାରୀଙ୍କ ଠାରୁ ଦହିବରା କିଣି ଖାଇଥିଲେ। ରାତିରୁ ଅନେକଙ୍କୁ ପେଟ ଯନ୍ତ୍ରଣା, ବାନ୍ତି ଓ ତରଳ ଝାଡ଼ା ଆରମ୍ଭ ହୋଇଥିଲା। ସକାଳ ସୁଦ୍ଧା ଅସୁସ୍ଥଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଥିଲା।ଅସୁସ୍ଥଙ୍କୁ ତୁରନ୍ତ ଦଶରଥପୁର ଗୋଷ୍ଠୀ ଓ ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରେ ଭର୍ତ୍ତି କରାଯାଇଛି। ଗ୍ରାମ ର ରବୀନ୍ଦ୍ର ଘଡେଇ, ଫ୍ରଫୁଲ ଘଡେଇ, ଉମାକାନ୍ତ ସାମଲ, ପରଣୀୟ ଜେନା, ସଦାନନ୍ଦ ଜେନା, ସୁବାଷ ଜେନା, ଶିଶିର ଘଡେଇ, ମାମୁନି ଘଡେଇ, କମଲିନି ଧଳ, ନିରୁପମା ମିଶ୍ର, ମଳୟ ଜେନା, ପୁଷ୍ପଲତା ଜେନା, ଜିନଦ ପଣ୍ଡା ସହ ଗୁରୁତର ଥିବା ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଜିଲ୍ଲାପାଳ ଅମ୍ବର କର, ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦଶରଥପୁର ବ୍ଲକ ବିଡ଼ିଓ ଆକାଶ ପଟ୍ଟନାୟକ ଓ ସ୍ୱାସ୍ଥ୍ୟ ଟିମ୍ ପ୍ରଭାବିତ ଗ୍ରାମରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ଟିମ୍ ପାଟପୁର ଗ୍ରାମରେ ମେଡିକାଲ କ୍ୟାମ୍ପ ଖୋଲି ଚିକିତ୍ସା ଆରମ୍ଭ କରିଛି।ସେହିପରି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ପ୍ରାକ୍ତନ ଭାଜପା ଜିଲ୍ଲା ସଭାପତି ଗୌତମ ରାୟ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବବିତା ମଲ୍ଲିକ ପ୍ରମୁଖ ମୃତା ସୁନ୍ଦରୀ ଜେନାଙ୍କ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇଥିଲେ ।
