ପୁରୀ; ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଆୟୋଜିତ ୪ର୍ଥ ଓଡ଼ିଶା ଧ୍ୟାନ ମହାଯଜ୍ଞ–୨୦୨୬ର ପ୍ରଥମ ଦିନର କାର୍ଯ୍ୟକ୍ରମ ଧ୍ୟାନ, ଶାନ୍ତି, ଅହିଂସା, ଶାକାହାର, ଜଗନ୍ନାଥ ସଂସ୍କୃତି, ସନାତନ ଧର୍ମ ଓ ମାନବୀୟ ମୂଲ୍ୟବୋଧର ସନ୍ଦେଶ ସହ ସଫଳତାର ସହ ଆୟୋଜିତ ହୋଇଛି। ପ୍ରଥମ ଦିନର କାର୍ଯ୍ୟକ୍ରମ ସକାଳ ୧୧ଟାରୁ ଶାକାହାର ରାଲି ଓ ଶାନ୍ତି ପଦଯାତ୍ରା ସହ ଆରମ୍ଭ ହୋଇଥିଲା। ଚୈତନ୍ୟ ଛକରୁ ପୁରୀ ଟାଉନ ହଲ୍ ପର୍ଯ୍ୟନ୍ତ ଆୟୋଜିତ ଏହି ନଗର ପରିକ୍ରମାରେ ଧ୍ୟାନ ସାଧକ, ମାଷ୍ଟର, ଶୁଭେଚ୍ଛୁ ଓ ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ। ରାଲି ମାଧ୍ୟମରେ ଅହିଂସା, ଶାକାହାର, ସମସ୍ତ ଜୀବଜଗତ ପ୍ରତି କରୁଣା, ସହଅସ୍ତିତ୍ୱ ଓ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରାଯାଇଥିଲା। ପଦଯାତ୍ରା ପରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।

ସନ୍ଧ୍ୟା ୪ଟା ୩୦ ମିନିଟରୁ ଉଦ୍ଘାଟନୀ ଅଧିବେଶନ ଆରମ୍ଭ ହୋଇଥିଲା। ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ, ସ୍ୱାଗତ ଓ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଔପଚାରିକ ଶୁଭାରମ୍ଭ ହୋଇଥିଲା। ଇପ୍ସିତା ପୁଜାରୀ, ପରିଚାଳନା ଟ୍ରଷ୍ଟି, ଧ୍ୟାନ ଯୋଗ ଟ୍ରଷ୍ଟ ସ୍ୱାଗତ ଭାଷଣ ରଖି ଓଡ଼ିଶା ଧ୍ୟାନ ମହାଯଜ୍ଞର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପୃଷ୍ଠଭୂମି ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଦେଇଥିଲେ।ଗୁରୁମାତା ସ୍ୱର୍ଣ୍ଣମାଳା ପାତ୍ରୀ ନିଜ ଉଦ୍ବୋଧନରେ ଧ୍ୟାନକୁ ଆନ୍ତରିକ ଶାନ୍ତି, ଆତ୍ମସଚେତନତା ଓ ଆଧ୍ୟାତ୍ମିକ ଉନ୍ନତିର ଏକ ଫଳପ୍ରଦ ପଥ ଭାବେ ଉଲ୍ଲେଖ କରିଥିଲେ। ମହନ୍ତ ରାମକୃଷ୍ଣ ଦାଶ, ମଠାଧୀଶ, ରାଧାବଲ୍ଲଭ ମଠ ଭକ୍ତି, ମନୋନିବେଶ, ଆଧ୍ୟାତ୍ମିକ ଶୃଙ୍ଖଳା ଓ ଶାନ୍ତିମୟ ଜୀବନର ଗୁରୁତ୍ୱ ବିଷୟରେ କହିଥିଲେ। ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ମାନବୀୟ ମୂଲ୍ୟବୋଧ, ମନୋଶାନ୍ତି ଓ ଆତ୍ମସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପଦ୍ମଶ୍ରୀ ଡ଼. ଡି. ଆର କାର୍ତ୍ତିକେୟନ୍, ପୂର୍ବତନ ମହାନିର୍ଦ୍ଦେଶକ, ସିବିଆଇ ଓ ମାନବାଧିକାର ଆୟୋଗ ଶାନ୍ତି, ମାନବତା, ନୈତିକ ଚେତନା ଓ ଆନ୍ତରିକ ସଚେତନତାକୁ ସୁସ୍ଥ ଏବଂ ସମନ୍ୱୟମୟ ସମାଜ ଗଠନର ମୁଖ୍ୟ ଆଧାର ବୋଲି ଉଲ୍ଲେଖ କରିଥିଲେ।ଏହି ଅବସରରେ ‘ଧ୍ୟାନ ଯୋଗ’ ଦ୍ୱିମାସିକ ପତ୍ରିକାର ଉନ୍ମୋଚନ କରାଯାଇଥିଲା।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପୂଜ୍ୟଶ୍ରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଗରିମାମୟ ଉପସ୍ଥିତିରେ ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଥିଲା। ନିଜ ଭାଷଣରେ ସେ ସନାତନ ଧର୍ମ, ଜଗନ୍ନାଥ ସଂସ୍କୃତି ଓ ଆଧ୍ୟାତ୍ମିକ ଜୀବନର ମୂଳ୍ୟବୋଧ ଉପରେ ଆଲୋକପାତ କରିଥିଲେ। ଜଗନ୍ନାଥ ସଂସ୍କୃତିର ସାର୍ବଜନୀନତା, ଭକ୍ତି, ସହଅସ୍ତିତ୍ୱ, ଶାନ୍ତି ଓ ମାନବିକତାର ସନ୍ଦେଶକୁ ସେ ବିଶେଷ ଭାବେ ଉପସ୍ଥାପନ କରିଥିଲେ। ଉଦ୍ଘାଟନୀ ଅଧିବେଶନର ଅନ୍ୟତମ ବିଶେଷ ପର୍ବ ଥିଲା ଧ୍ୟାନ ମାଷ୍ଟର ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମ୍ମାନନା। ଧ୍ୟାନ, ଆଧ୍ୟାତ୍ମିକ ଚେତନା, ଶାନ୍ତି ଓ ସାମାଜିକ ମୂଲ୍ୟବୋଧର ପ୍ରଚାର-ପ୍ରସାରରେ ଦୀର୍ଘଦିନ ଧରି ଅବଦାନ ରଖିଆସୁଥିବା ବରିଷ୍ଠ ଧ୍ୟାନ ମାଷ୍ଟର, ସାଧକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ବିଶେଷ ଅବଦାନ ପାଇଁ ଚୟନିତ ବ୍ୟକ୍ତିମାନଙ୍କୁ ‘ଧ୍ୟାନ ଶିରୋମଣି’ ସମ୍ମାନ ପ୍ରଦାନ କରାଯାଇଥିଲା।

ସମଗ୍ର ଉଦ୍ଘାଟନୀ ଅଧିବେଶନକୁ ଡ଼. ଶ୍ରୀନିବାସ ଘଟୁଆରୀ ସୁନ୍ଦର, ସୁସଂଗଠିତ ଓ ଗରିମାମୟ ଭାବରେ ସଂଚାଳନ କରିଥିଲେ। ତାଙ୍କର ସୁମଧୁର ଉପସ୍ଥାପନା ଓ ସମୟୋପଯୋଗୀ ସଂଚାଳନ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଥିଲା। କାର୍ଯ୍ୟକ୍ରମ ଶେଷରେ ଅଭିପ୍ସା ଦାଶ ଅତିଥିବୃନ୍ଦ, ଧ୍ୟାନ ମାଷ୍ଟର, ଆୟୋଜକ, ସ୍ୱେଚ୍ଛାସେବୀ ଓ ସମସ୍ତ ଅଂଶଗ୍ରାହୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପରବର୍ତ୍ତୀ ସାଂସ୍କୃତିକ ପର୍ବରେ ଓଡ଼ିଶୀ ନୃତ୍ୟର ମନୋରମ ପରିବେଶନ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା। ଏହାସହ ସୁଶୀଲ କୁମାର ମେହେରଙ୍କ ‘କଂସ ମହାରାଜ’ ରୂପର ଚମତ୍କାର ପରିବେଶନ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆକର୍ଷଣ ହୋଇଥିଲା। ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ସଫଳତାର ସହ ସମ୍ପନ୍ନ ହେବା ପରେ ଶାନ୍ତି ପାଠ ସହ ପ୍ରଥମ ଦିନର ଅଧିବେଶନ ସମାପ୍ତ ହୋଇଥିଲା।
