ନୂଆଦିଲ୍ଲୀୂ: ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ “ମେଟା ପ୍ଲାଟଫର୍ମସ୍’କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ତୁରନ୍ତ ସେହି ଆପତ୍ତିଜନକ ସୋସିଆଲ୍ ମିଡିଆ ବିଷୟବସ୍ତୁକୁ ହଟାଇବେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜଣେ ମହିଳାଙ୍କର ମର୍ଫ୍ଡ (ବିକୃତ) ଛବି ରହିଛି। ଏହା ସହିତ, ନିଜ ଜୀବନ ପ୍ରତି ବିପଦ ଥିବା ନେଇ ମହିଳା ଜଣକ ଅଭିଯୋଗ କରିବା ପରେ କୋର୍ଟ ଦିଲ୍ଲୀ ପୋଲିସକୁ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଗିରିଶ କାଥପାଲିଆ ମତ ଦେଇଛନ୍ତି ଯେ ଏହା ଏକ ଅସାଧାରଣ ମାମଲା। କାରଣ ଏହା କେବଳ ସମ୍ପୃକ୍ତ ମହିଳାଙ୍କ ସହ ନୁହେଁ, ବରଂ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଜଡିତ। ବିଚାରପତି କହିଛନ୍ତି, “ଯଦି ଦିଲ୍ଲୀ ପୋଲିସ ଏ ବିଷୟରେ ସମ୍ବେଦନଶୀଳ ନୁହେଁ, ତେବେ କୋର୍ଟ ନିଶ୍ଚିତ କରିବେ ଯେ ସେମାନେ ସମ୍ବେଦନଶୀଳ ହୁଅନ୍ତୁ।’ କୋର୍ଟ “କକ୍ରୋଚ୍ ଜନତା ପାର୍ଟି’ (ସିଜେପି)ର ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଏବଂ ରତ୍ନ ସିଂହଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ମହିଳା ଜଣକ ଅଭିଯୋଗ କରିଥିଲେ ଯେ ଏହି ନେତାମାନେ ମୋଦୀଙ୍କ ସହ ତାଙ୍କର ମର୍ଫ୍ଡ ଏବଂ ଅଶ୍ଳୀଳ ଛବି ପ୍ରଚାର କରିଥିଲେ। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର ୧୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ଏବଂ ପୋଲିସକୁ ମହିଳାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯିଏ କି କୋର୍ଟଙ୍କୁ ଜଣାଇଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଆବେଦନରେ ଅଭିଯୋଗ କରାଯାଇଛି ଯେ ସମ୍ପ୍ରତି ନୂଆଦିଲ୍ଲୀର ଜନ୍ତର ମନ୍ତରରେ ସିଜେପି ପ୍ରତିବାଦ ସମୟରେ, ୪ ଜଣ ନେତା ଏବଂ ସେମାନଙ୍କର “ସକ୍ରିୟ ସହଯୋଗୀ’ ଅନଧିକାର ଭାବରେ ମହିଳାଙ୍କ ବ୍ୟକ୍ତିଗତ ଫଟୋଗ୍ରାଫ୍ ହାସଲ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ଏକ “ଅତ୍ୟନ୍ତ ଅଶ୍ଳୀଳ, ଆପତ୍ତିଜନକ ପ୍ରତିଛବି’ ରେ ତାଙ୍କ ମୁହଁକୁ ରୂପ ଦେବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଫେସ୍-ସ୍ୱାପିଂ ଟୁଲ୍ସ ବ୍ୟବହାର କରିଥିଲେ। ମହିଳା ଜଣକ ମୋଦିଙ୍କ ସହିତ ଅଶ୍ଳୀଳ ପ୍ରତିଛବିରେ ତାଙ୍କର ରୂପାନ୍ତରିତ ମୁହଁ ଦେଖାଯାଉଥିବା ମନଗଢ଼ା ଏବଂ ଡିପ୍ ଫେକ୍ ପ୍ରତିଛବିଗୁଡ଼ିକୁ ହଟାଇବା ପାଇଁ ଦାବି କରିଥିଲେ। ତାଙ୍କ ଓକିଲ କୋର୍ଟକୁ କହିଥିଲେ ଯେ ଘଟଣା ସମ୍ପର୍କରେ ପୂର୍ବରୁ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି। ତଥାପି, ସେ ଯୁକ୍ତି ଦେଇଥିଲେ ଯେ ଦାୟୀ ଲୋକଙ୍କୁ ଗିରଫ କରିବା କିମ୍ବା ଭାଇରାଲ୍ ଡିପ୍ ଫେକ୍ ଲିଙ୍କ୍ଗୁଡ଼ିକୁ ତୁରନ୍ତ ହଟାଇବା କିମ୍ବା ଅବରୋଧ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଆବେଦନରେ କୁହାଯାଇଛି ଯେ ଜନ୍ତର ମନ୍ତରରେ ସିଜେପି ପ୍ରତିବାଦ ପରେ ଅଭିଯୋଗ କରାଯାଇଥିବା ବିଷୟବସ୍ତୁ ପ୍ରସାରିତ ହୋଇଥିଲା।
