ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଲିଗୁଡା ବନବାସୀ ସେବାସମିତି ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୭ ଅଭାବୀ ଓ ନିଷ୍ପେସିତ ପରିବାରର ଯୋଡ଼ି ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ଶୁଭ ଅବସରରେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ସରକାରଙ୍କ ଏହି ଜନହିତକର ଯୋଜନା ସାମାଜିକ ସଂସ୍କାର ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ କଳ୍ପନା କୁମାରୀ କହଁର, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର ଯୋଗ ଦେଇଥିଲେ । ସମାଜରୁ ଯୌତୁକ ପ୍ରଥା ନିର୍ମୂଳ କରିବା ପାଇଁ ଏହି ଯୋଜନା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।

ଯୋଜନା ଅନୁଯାୟୀ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିବାହ ସହାୟତା ରାଶି ୪୫ ହଜାର ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ନବ ଦମ୍ପତି ଙ୍କୁ ୪୫ ହଜାର ଟଙ୍କା ର ଗୋଟିଏ ଚେକ୍ ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ନବଦମ୍ପତିଙ୍କୁ ନୂତନ ସଂସାର ଗଢ଼ିବା ପାଇଁ ଆବଶ୍ୟକୀୟ ଗୃହୋପକରଣ ଓ ପୋଷାକପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବନବାସୀ ସେବା ସମିତିର ସଭାପତି ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବହୁ ପଦାଧିକାରୀ, ଜନ ପ୍ରତିନିଧି, ସମାଜସେବୀ ଓ ବରକନ୍ୟାଙ୍କ ସମ୍ପର୍କୀୟ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ନବ ଦମ୍ପତିଙ୍କ ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଥିଲେ। ଶେଷରେ ସମସ୍ତଙ୍କ ପାଇଁ ସାମୂହିକ ଭୋଜନର ବ୍ୟବସ୍ଥା କରାଯାଇଥିଲା।
